ETV Bharat / bharat

ସ୍ତ୍ରୀଙ୍କୁ ଲଢ଼ାଇବେ ନିର୍ବାଚନ; ୬୦ ବର୍ଷରେ ବାହାହେଲେ 'ଖାକି: ଦ ବିହାର ଚାପ୍ଚର'ର ରିୟଲ ଭିଲିଆନ ଅଶୋକ

author img

By ETV Bharat Odisha Team

Published : Mar 21, 2024, 10:54 AM IST

Updated : Mar 21, 2024, 11:09 AM IST

Ashok Mahato Got Married: ୱେବ ସିରିଜ 'ଖାକି: ଦ ବିହାର ଚାପ୍ଟର'ର ରିୟଲ ଭିଲିଆନ ଅଶୋକ ମେହେତୋ ୬୦ ବର୍ଷରେ ବିବାହ କରିଛି । ଲୋକସଭା ନିର୍ବାଚନ ଲଢିବା ପାଇଁ ସେ ତରବରିଆ ଭାବେ ବାହା ହୋଇଛନ୍ତି । ଅପରାଧିକ ମାମଲା ପାଇଁ ସେ ନିଜେ ନିର୍ବାଚନ ଲଢିପାରିବେନି, ସେଥିପାଇଁ ନିଜ ସ୍ତ୍ରୀକୁ ପ୍ରାର୍ଥୀ କରିବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ୱେବ୍ ସିରିଜ 'ଖାକି: ଦ ବିହାର ଚାପ୍ଟର' ବିଷୟରେ ଅନେକ ଜାଣିଥିବେ । ଏହି ୱେବ୍ ସିରିଜର ରିୟଲ ଭିଲିଆନ ଅଶୋକ ମେହେତୋ ଅର୍ଥାତ୍ ବିହାରର ଯେଉଁ ଅପରାଧି ଉପରେ ୱେବସିରିଜଟି ନିର୍ମାଣ ହୋଇଥିଲା, ସେ ଏବେ ୬୦ ବର୍ଷ ବୟସରେ ବିବାହ କରିଛନ୍ତି । ବିହାର ନୱାଦା ଜେଲ ବ୍ରେକ କାଣ୍ଡ ଏବଂ ଜେଡିୟୁ ବିଧାୟକ ଉପରେ ଆକ୍ରମଣ ମାମଲାରେ ୧୭ ବର୍ଷ ଜେଲରେ ଥିବା ଅଶୋକ ଆସନ୍ତା ଲୋକସଭା ନିର୍ବାଚନରେ ଲଢିବା ପାଇଁ ତରବରିଆ ଭାବେ ବାହା ହୋଇଛନ୍ତି । ଆଇନଗତ ପ୍ରତିବନ୍ଧକ କାରଣରୁ ସେ ନିଜେ ନିର୍ବାଚନ ଲଢିପାରିବ ନାହିଁ, ତେଣୁ ନିଜ ପତ୍ନୀଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଚାହୁଁଛନ୍ତି । ଅଶୋକଙ୍କ ପତ୍ନୀ ରାଷ୍ଟ୍ରୀୟ ଜନତା ଦଳ (JDU)ରୁ ପ୍ରାର୍ଥୀ ହୋଇପାରନ୍ତି । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରାମର୍ଶରେ ଏହି ଅପରାଧୀ ତରବରିଆ ଭାବେ ବିବାହ କରିଥିବା କୁହାଯାଉଛି ।

୬୦ ବର୍ଷ ବୟସରେ ବିବାହ: କୁଖ୍ୟାତ ଅପରାଧୀ ଅଶୋକ ମେହେତୋ ପାଟନା ଜିଲ୍ଲାର ବଖସ୍ତିଆରପୁର ସ୍ଥିତ ଜଗଦମ୍ବା ମନ୍ଦିରରେ ମଙ୍ଗଳବାର ଦିନ ବିବାହ କରିଛି । ତା' ପତ୍ନୀଙ୍କ ଘର ମୁଙ୍ଗେର ଜିଲ୍ଲାର ବରିୟାରପୁର ଗାଁରେ ଏବଂ ସେ ଦିଲ୍ଲୀରେ ରହି ଚାକିରି କରନ୍ତି ।

ଅଶୋକ ମେହତୋ କିଏ ? ବିହାରର ଚର୍ଚ୍ଚିତ ଅପରାଧୀ ଅଶୋକ ନୱାଦା ଜିଲ୍ଲାର କୋନନପୁର ନିବାସୀ ଅଟେ । ୬୦ ବର୍ଷର ଅଶୋକ ଗତ ବର୍ଷ ୧୭ ବର୍ଷର ସଜ୍ଜା କାଟି ଜେଲରୁ ବାହାରିଥିଲା । ନୱାଦା ଜେଲ ବ୍ରେକ କାଣ୍ଡ ଏବଂ ଶେଖପୁରା ଜେଡିୟୁ ବିଧାୟକ ରଣଧୀର କୁମାର ସୋନିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ସେ ଦୋଷୀ ଥିଲେ । ୨୦୦୫ରେ ସାଂସଦ ରାଜୋ ସିଂ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ତାଙ୍କୁ ଦାୟୀ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସଲାମ ଡାକ୍ତର ଦିଦି ନିଲମ: କ୍ଲିନିକରେ ଝିଅ ଜନ୍ମ ହେଲେ ମିଠା ବାଣ୍ଟନ୍ତି, ଉପହାର ଦିଅନ୍ତି

କୁହାଯାଉଛି ଯେ, ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପରାମର୍ଶରେ ୬୦ ବର୍ଷ ବୟସରେ ଅଶୋକ ମେହେତୋ ବାହା ହେବା ପାଇଁ ସ୍ଥିର କରିଥିଲା । ୧୭ ବର୍ଷର ଜେଲଦଣ୍ଡ ଏବଂ ଆଇନଗତ ପ୍ରତିବନ୍ଧକ କାରଣରୁ ସେ ଏବେ ନିର୍ବାଚନ ଲଢିପାରିବ ନାହିଁ । ତେଣୁ ବାହା ହୋଇ ନିଜ ପତ୍ନୀଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଲାଲୁ ତାଙ୍କୁ ପରାମର୍ଶ ଦେଇଥିଲେ । ଯେଉଁଥିପାଇଁ ତରବରିଆ ଭାବେ ମଙ୍ଗଳବାର ଦିନ ସେ ବିବାହ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଶୋକ ମେହେତୋଙ୍କ ପତ୍ନୀ ମୁଙ୍ଗେର ଲୋକସଭା ଆସନରୁ ଆରଜେଡି ପ୍ରାର୍ଥୀ ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ


Last Updated : Mar 21, 2024, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.