ETV Bharat / bharat

ଭକ୍ତସମୁଦ୍ର ହେଉଛି ଅଯୋଧ୍ୟା: ରାତି 11 ଯାଏଁ ବଢିଲା ଦର୍ଶନ ସମୟ ସୀମା, ଭିଭିଆଇପି ଯାତ୍ରା ପୂର୍ବରୁ ଦେବେ ସୂଚନା

author img

By ETV Bharat Odisha Team

Published : Jan 24, 2024, 9:56 PM IST

Ayodhya Ram Mandir Darshan Time: ରାମଲାଲାଙ୍କ ଦର୍ଶନ ପାଇଁ ଅସମ୍ଭାଳ ଉତ୍କଣ୍ଠା । ଗତକାଲି ଦର୍ଶନ କରିଛନ୍ତି 5 ଲକ୍ଷ ଶ୍ରଦ୍ଧାଳୁ । ଆଜି ବଢିଲା ଦର୍ଶନ ସମୟ ସୀମା । ଭିଭିଆଇପିଙ୍କୁ ଦର୍ଶନ ପୂର୍ବରୁ ପ୍ରଶାସନକୁ ଦେବାକୁ ହେବ ସୂଚନା । ଅଧିକ ପଢନ୍ତୁ

ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଆରମ୍ଭ ହେବ ବୁକିଂ, ଜାଣନ୍ତୁ ସମୟ ସାରଣୀ ସମ୍ପର୍କରେ
ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଆରମ୍ଭ ହେବ ବୁକିଂ, ଜାଣନ୍ତୁ ସମୟ ସାରଣୀ ସମ୍ପର୍କରେ

ଲକ୍ଷ୍ନୌ: ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଅଯୋଧ୍ୟାରେ ପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଦେଶବ୍ୟାପୀ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ପହଞ୍ଚିବାରେ ଲାଗିଛନ୍ତି । ଶ୍ରଦ୍ଧାଳୁଙ୍କ ମାତ୍ରାଧିକ ଭିଡକୁ ଦୃଷ୍ଟିରେ ରଖି ଅଯୋଧ୍ୟା ପ୍ରଶାସନ ରାମଲାଲାଙ୍କ ଦର୍ଶନ ଅବଧି ସମୟକୁ ବୃଦ୍ଧି କରିଛି । ରାତି 10 ଟାରେ ସାଧାରଣ ଦର୍ଶନ ଶେଷ ହୋଇ ମନ୍ଦିର ପହୁଡ ପଡୁଥିବା ବେଳେ ଏହି ସମୟକୁ ଆଉ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ଆଜିଠାରୁ ରାତି 11 ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବା ସହ ଭକ୍ତମାନେ ଦର୍ଶନ କରିପାରିବେ । 11 ରେ ପହୁଡ ପଡିବା ପୂର୍ବରୁ ମନ୍ଦିରର ପ୍ରବେଶ କରିଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ବାହାରକୁ ବାହାର କରାଯିବାର ବ୍ୟବସ୍ଥା କରାଯାଉଛି । ଅଯୋଧ୍ୟାରେ ଉତ୍ତର ପ୍ରଦେଶ ପୋଲିସର (ଆଇନ ଶୃଙ୍ଖଳା) ଏଡିଜି ପ୍ରଶାନ୍ତ କୁମାର ନିଜେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।

ଗସ୍ତର 10 ଦିନ ପୂର୍ବରୁ ସୂଚନା ଦେବେ ଭିଭିଆଇପି:-

ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାଦ ଦେଲେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପାଇଁ ଭିନ୍ନ ଏକ ନିୟମ ଲାଗୁ କରାଯାଇଛି । ଭିଭିଆଇପିମାନେ ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଅଯୋଧ୍ୟା ପୋଲିସ, ଜିଲ୍ଲା ପ୍ରଶାସନ କିମ୍ବା ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟକୁ ସୂଚୀତ କରିବେ । ସେହି ଅନୁସାରେ, ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପ୍ରଦାନ କରାଯିବ । ଗସ୍ତର 10 ଦିନ ପୂର୍ବରୁ ସେମାନଙ୍କୁ ଏହି ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଅନ୍ୟପଟେ 22ରେ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଲାକ୍ଷାଧିକ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଯାଇଛି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ବନ୍ଦୋବସ୍ତ ହୋଇଥିବା ସୁରକ୍ଷା ବ୍ୟବସ୍ଥା 25 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ହ୍ରାସ ହେବା ପରେ ଅଯୋଧ୍ୟା ସହର ଓ ମନ୍ଦିର ପରିସରରେ ପୋଲିସ ଫୋର୍ସର ମୁତୟନ ହ୍ରାସ କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ଯୋଜନା ରଖିଛି ।

ପ୍ରଭୁଙ୍କ ଦୈନିକ ନୀତିକାନ୍ତି ଓ ଦର୍ଶନ ସାରଣୀ:-

ଭୋର 4 ଟାରେ ମନ୍ଦିର ପହୁଡ ଖୋଲିବା ସହ 4.30 ରୁ 5 ଟା ମଧ୍ୟରେ ପ୍ରଭୁଙ୍କ ପ୍ରଥମ ‘ମଙ୍ଗଳ ଆଳତି’ ଅନୁଷ୍ଠିତ ହେବ । ଏହା ପରେ ଅନ୍ୟ ନୀତିକାନ୍ତି ସହ ଦର୍ଶନ ଆରମ୍ଭ ହୋଇଯିବ । ସକାଳ 6.30 ରେ ପ୍ରଭୁଙ୍କ ‘ଶୃଙ୍ଗାର ଆଳତି’ ହେବ । ପରେ ମଧ୍ୟାହ୍ନ 12 ଟାରେ ‘ଭୋଗ ଆଳତି’ ହେବ । ଏହା ପରେ ଅପରାହ୍ନ 1 ଟାରୁ 3 ଟା ମଧ୍ୟରେ ମନ୍ଦିରରେ ପହୁଡ ପଡିବା ସହ ସାଧାରଣ ଦର୍ଶନ ବନ୍ଦ ରହିବ । ପୁନର୍ବାର 3 ଟାରୁ ଦର୍ଶନ ଆରମ୍ଭ ହୋଇ ସଂଧ୍ୟା 7.30 ରେ ସଂଧ୍ୟା ଆଳତି ହେବ । ଏହା ପରେ ରାତି 11 ପର୍ଯ୍ୟନ୍ତ ଦର୍ଶନ ହେବ ।

ପ୍ରଥମ ଦିନରେ ଦର୍ଶନ କରିଛନ୍ତି 5 ଲକ୍ଷ ଶ୍ରଦ୍ଧାଳୁ:-

22 ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାପିତ ହେବା ପରେ କେବଳ ନିମନ୍ତ୍ରିତ ଅତିଥିମାନେ ରାମଲାଲାଙ୍କ ଦର୍ଶନ କରିଥିଲେ । ପ୍ରାୟ 7 ହଜାର ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରଥମ ଦିନରେ ପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଥିବା ବେଳେ ଗତକାଲି ଥିଲା ସାଧାରଣ ଦର୍ଶନର ପ୍ରଥମ ଦିନ । ତେବେ ପ୍ରଥମ ଦିନରେ ରେକର୍ଡସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଗତକାଲି ପୂର୍ବାହ୍ନରୁ ରାତି 10 ଟାରେ ମନ୍ଦିର ପହୁଡ ପଡିବା ମଧ୍ୟରେ ପ୍ରାୟ 5 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଗର୍ଭଗୃହରେ ରାଲାଲାଙ୍କ ଦର୍ଶନ କରିଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିବା ବେଳେ କିଛି ସ୍ଥାନରେ ଭିଡ ଓ ଠେଲାପେଲାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଦର୍ଶନକୁ ଆଉ ଘଣ୍ଟାଏ ଅର୍ଥାତ ରାତି 10 ପରିବର୍ତ୍ତେ 11କୁ ବୃଦ୍ଧି କରିଛି ମନ୍ଦିର ପ୍ରଶାସନ । ଏବେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.