ETV Bharat / bharat

ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ, ଆଜି ହୋଇପାରେ ଶୁଣାଣି - Kejriwal Moves Supreme Court

author img

By ETV Bharat Odisha Team

Published : Mar 22, 2024, 7:25 AM IST

Arvind Kejriwal moves Supreme Court: ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ହୋଇପାରେ ଏହି ମାମଲାର ଶୁଣାଣି । ଅଧିକ ପଢନ୍ତୁ

ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ
ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆପ୍‌ର ଲିଗାଲ ଟିମ୍ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛି । ଏଥିସହ ଇଡି ଗିରଫଦାରୀ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି । ତେବେ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ ଗୁରୁବାର ରାତିରେ କୌଣସି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇନାହିଁ । ତଥାପି ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରିପାରନ୍ତି ବୋଲି କୁହାଯାଉଛି ।

ଏହାକୁ ନେଇ ବରିଷ୍ଠ ଆପ୍ ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ଗଣମାଧ୍ୟମକୁ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ବେଆଇନ ଗିରଫଦାରୀ ବିରୋଧରେ ଆମେ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଛୁ । ଶୁକ୍ରବାର(ଆଜି) ସକାଳେ ଏହା ସର୍ବୋଚ୍ଚ ଅଦାଲତରେ ଉଲ୍ଲେଖ କରାଯିବ । ଆମର ଆଶା, ସୁପ୍ରିମକୋର୍ଟ ଗଣତନ୍ତ୍ରର ସୁରକ୍ଷା କରିବେ ।'' ଆହୁରିମଧ୍ୟ ସେ କହିଛନ୍ତି ଯେ, ଗତ ୨ ବର୍ଷ ହେଲା ଅବକାରୀ ଦୁର୍ନୀତି ତଦନ୍ତରେ ସିବିଆଇ କିମ୍ବା ଇଡି ଟଙ୍କାଟିଏ ମଧ୍ୟ ପାଇନାହିଁ । ବିଜେପି ଭଲ ଭାବେ ଜାଣିଛି ଯେ, କେଜ୍ରିୱାଲ ହେଉଛି ସବୁଠୁ ଲୋକପ୍ରିୟ ନେତା, ଯିଏକି ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରଖନ୍ତି । ସେଥିପାଇଁ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED

ଦାୟିତ୍ୱରେ ଥାଇ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ତେବେ ସେ ଜେଲରୁ ସରକାର ଚଳାଇବେ ଏବଂ ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି ଆପ୍ ଘୋଷଣା କରିଛନ୍ତି । ସେହିପରି କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆପ୍ ନେତା ଗୋପାଳ ରାୟ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି । ସେ କହିଛନ୍ତି, ବିଜେପି ଏଜେନ୍ସି ପଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଏହା ଗଣତନ୍ତ୍ରର ହତ୍ୟା । ଇଡିର ଏହି ବେଆଇନ ଗିରଫଦାରୀ ବିରୋଧରେ ଶୁକ୍ରବାର ସକାଳ ୧୦ଟାରେ ଆମେ ଆନ୍ଦୋଳନ କରିବୁ । ଯେକେହି ବି ଏହି ଏକଛତ୍ରବାଦର ବିରୋଧ କରୁଛି, ଆମେ ତାକୁ ଆନ୍ଦୋଳନରେ ସାମିଲ ପାଇଁ ସ୍ବାଗତ କରିବୁ ।

ପ୍ରକାଶ ଥାଉକି, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କ ୯ ଥର ସମନ କରିଥିଲା । କିନ୍ତୁ ସବୁଥର କେଜ୍ରିୱାଲ ଏହାକୁ ଏଡାଇ ଦେଇଥିଲେ । ଗିରଫଦାରୀ ଆଶଙ୍କା କରି ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଥିଲେ । ଏହାପରେ ଇଡି କାଲି ତାଙ୍କୁ ଗିରଫ କରିନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.