ଓଡିଶା

odisha

Gundicha Jatra: ଚଳଚଞ୍ଚଳ ଗଡ଼କୁଜଙ୍ଗ ସୁଭଦ୍ରା କ୍ଷେତ୍ର, ଲକ୍ଷାଧିକ ଭକ୍ତଙ୍କ ସମାଗମ

By

Published : Jun 22, 2023, 6:20 PM IST

Basi Gundicha Jatra

ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ବ୍ଲକ ସ୍ଥିତ ସୁଭଦ୍ରା କ୍ଷେତ୍ରରେ ଅନୁଷ୍ଠିତ ହୋଇଛି 'ବାସି ଗୁଣ୍ଡିଚା ଯାତ୍ରା' । ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟାରେ ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ବର ବିଭିନ୍ନ କୋଣଅନୁକୋଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହି ସ୍ଥାନରେ ତା' ପରଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ସୁଭଦ୍ରା କ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ହରିବୋଲ, ଘଣ୍ଟନାଦ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ପୁରା ପରିବେଶ  ।  

ଜିଲ୍ଲାର ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗରେ 'ବାସି ରଥଯାତ୍ରା'ର ପରମ୍ପରା କେଉଁ ଆବାହନ କାଳରୁ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷ ସୁଭଦ୍ରା ଶ୍ରୀକ୍ଷେତ୍ର ଜିଲ୍ଲାର ଗଡକୁଜଙ୍ଗ ଶ୍ରୀଶ୍ରୀ କୁଞ୍ଜବିହାରୀଙ୍କ ପୀଠରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିନିଧି ଭାବେ ଦଧିବାମନଜୀଉ ରଥାରୂଢ ହୋଇ ଘୋଷଯାତ୍ରାରେ ଯାଇଥାନ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ରଥଯାତ୍ରାର ପରଦିନ ଅପରାହ୍ନରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ ଆଜି ପାରମ୍ପରିକ ପୂଜାର୍ଚ୍ଚନା, ପହଣ୍ଡି, ଛେରାପହଁରା ଆଦି କାର୍ଯ୍ୟକ୍ରମ ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । କିଛି ବର୍ଷ ଧରି ଏଠାରେ ପୂର୍ବତନ ମନ୍ତ୍ରୀ ଡ଼. ଦାମୋଦର ରାଉତ ଠାକୁର ରାଜା ହୋଇ ଛେରାପହଁରା କରୁଥିବା ବେଳେ ଗତ ୫ବର୍ଷ ଧରି ତାଙ୍କ ପୁଅ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଛେରାପହଁରା କରି ଆସୁଛନ୍ତି।  

ଏହା ବି ପଢନ୍ତୁ- ଆଜି ଆଡପ ପଣ୍ଡପକୁ ବିଜେ କରିବେ ବିଶ୍ବନିଅନ୍ତା

ପ୍ରବଳ ଗ୍ରୀଷ୍ମପ୍ରବାହ ହୋଇଥିବା ସତ୍ତ୍ବେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଆଖପାଖର ହଜାର ହଜାର ଭକ୍ତଶ୍ରଦ୍ଧାଳୁ ଦଧିବାମନଜୀଉଙ୍କ ଦର୍ଶନ କରିବା ସହ ରଥଟାଣି ପ୍ରଭୁକୃପା ଲାଭ କରିଛନ୍ତି । ୧୫୨୮ରେ କଳାପାହାଡ଼ ଉତ୍କଳ ଆକ୍ରମଣ କରି ଶ୍ରୀକ୍ଷେତ୍ରରୁ ଜୀଉମାନଙ୍କୁ ନେଇ ଗଙ୍ଗାନଦୀ କୂଳରେ ଦାହ କରିଥିଲେ। ସେଠାରୁ ଅକ୍ଷତ ବ୍ରହ୍ମକୁ ବିଶର ମହାନ୍ତି ନାମକ ଜଣେ ଭକ୍ତ ମୃଦଙ୍ଗରେ ପୁରାଇ ଗଡକୁଜଙ୍ଗ ଆଣିଥିଲେ। ଚତୁର୍ଦ୍ଧାମୂର୍ତ୍ତି ଗଡକୁଜଙ୍ଗରେ କିଛି ବର୍ଷ ପୂଜା ପାଇବା ପରେ ଶ୍ରୀକ୍ଷେତ୍ର ଫେରିଥିଲେ । ହେଲେ ଜୀଉମାନଙ୍କୁ ରଖି ଭକ୍ତିର ସହ ପୂଜାର୍ଚ୍ଚନା କରୁଥିବା ଗଡକୁଜଙ୍ଗ ରାଜାରାଣୀଙ୍କ ଭକ୍ତି ଡୋରରେ ବନ୍ଧା ଠାକୁରଙ୍କ ନିର୍ଦ୍ଦେଶାନୁଯାୟୀ ଦେବୀ ସୁଭଦ୍ରା ଏହି ପୀଠରେ ଅବସ୍ଥାନ କରିଆସୁଛନ୍ତି । ଯାହାକି ମାଦଳା ପାଞ୍ଜିରୁ ଜଣାପଡେ। ଏଣୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଶ୍ରୀକ୍ଷେତ୍ର ରଥଯାତ୍ରା ପରଦିନ ଏଠାରେ ସ୍ବୟଂ ବିଜେ ହୋଇ ଭକ୍ତଶ୍ରଦ୍ଧାଳୁଙ୍କ ମନବାଞ୍ଝା ପୁରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି। ଯାହା ଫଳରେ ଏଠାରେ ରଥଯାତ୍ରା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details