ଓଡିଶା

odisha

Bharat Bandh: କଳାହାଣ୍ଡିରେ ଭାରତ ବନ୍ଦର ପ୍ରଭାବ, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

By

Published : Aug 7, 2023, 5:09 PM IST

ଭାରତ ବନ୍ଦ

ଭବାନୀପାଟଣା: ମଣିପୁରରେ ଆଦିବାସୀଙ୍କ ଉପରେ ନିର୍ଯାତନା ଓ ଅତ୍ୟାଚାର ପ୍ରତିବାଦରେ ଆଜି ସାରା ଭାରତରେ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ଆଦିବାସୀ ପରିଷଦ । ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ଆଦିବାସୀ ପରିଷଦର ଆହ୍ୱାନ କ୍ରମେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନମାନେ ସାମିଲ ହୋଇ ଗତ କିଛି ଦିନ ତଳେ ମଣିପୁରରେ ଆଦିବାସୀ ମହିଳାଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ବିରୋଧ କରିବା ସହ ସରକାରଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନ ଓହ୍ଲାଇଥିବା ଜଣାପଡିଛି । ଆନ୍ଦୋଳନକାରୀ ବରଗଡ଼-ବାରିଗୁମା ଜାତୀୟ ରାଜପଥ ୨୬ ଏବଂ କେସିଙ୍ଗା, କୋକସରା, ଜୁନାଗଡ଼ ଓ କୁଟୁରୁ ଖମାରରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 

ସକାଳ ୯ଟାରୁ ଜିଲ୍ଲାର ସମସ୍ତ ବ୍ଲକମାନଙ୍କରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଜାତୀୟ ରାଜପଥ ୨୬ରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ସେପଟେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇ ଭବାନୀପାଟଣା ସହରରେ ଭାରତ ବନ୍ଦର ପ୍ରଭାବ ଆଂଶିକ ଭାବରେ ଦେଖିବାକୁ ମିଳିଛି । ସହରରେ ସମସ୍ତ ଦୋକାନ ବଜାର ଖୋଲା ଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ସ୍ବାଭାବିକ ରହିଛି । କେସିଙ୍ଗାରେ ଆନ୍ଦୋଳନକାରୀ ପିକେଟିଂ କରି ଗାଡ଼ି ଚଳାଚଳକୁ ବନ୍ଦ କରିଥିଲେ । ଏଠାରେ ଅନେକ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସେହିପରି କୋକସରାରେ ବିକ୍ଷୋଭକାରୀ ଜାତୀୟ ରାଜପଥ ଅବରୋଧ କରିବା ଫଳରେ ସୀମାନ୍ତରେ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି । 

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details