ପର୍ଥ (ଅଷ୍ଟ୍ରେଲିଆ): ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ବିଶ୍ୱଚମ୍ପିଆନ୍, ଗତ ଏସିଆ କପ ଚାମ୍ପିଆନ ଟିମକୁ ଭେଟୁଛି । ଘରୋଇ ଟିମ୍ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଅତିଥି ଦଳ ଶ୍ରୀଲଙ୍କା ପାଇଁ ମଧ୍ୟ ସମାନ ଗୁରୁତ୍ୱ ବହନ କରୁଛି । କାରଣ ଗ୍ରୁପ୍-1କୁ ଗ୍ରୁପ୍ ଅଫ୍ ଡେଥ୍ କୁହାଯାଉଥିବା ବେଳେ କଙ୍ଗାରୁ ଟିମ୍ ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି । ଏପଟେ ସିଂହଳୀ ଟିମ୍ ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରି ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛି ।
ଜାରି ରହିଛି ଟି୨୦ ବିଶ୍ବକପର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହୋଇଛନ୍ତି ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ବନାମ ୨୦୨୨ ଏସିଆ କପ ଚମ୍ପିଆନ୍ ଶ୍ରୀଲଙ୍କା । ଅଷ୍ଟ୍ରେଲିଆ ଟସ ଜିତି ଅଧିନାୟକ ଆରୋନ ଫିଞ୍ଚ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା । ତେବେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଜାମ୍ପା କୋଭିଡ୍ ପାଇଁ ବିଶ୍ରାମ ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଷ୍ଟନ ଅଗରଙ୍କୁ ସ୍ଥାନ ମିଳିଛି ।
ଶ୍ରୀଲଙ୍କା ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ସୁପର ୧୨ ପର୍ଯ୍ୟାୟ ମହାମୁକାବିଲା । ସୁପର ୧୨ ପର୍ଯ୍ୟାୟରେ ଅଷ୍ଟ୍ରେଲିଆର ଏହା ଦ୍ବିତୀୟ ମ୍ୟାଚ । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ତେଣୁ ଆରୋନ ଫିଞ୍ଚ ଦଳ ଦ୍ବିତୀୟ ମ୍ୟାଚ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଜାରି ରଖିବ । ସେହିପରି ଶ୍ରୀଲଙ୍କା ବିଜୟ ଅଭିଯାନ ଜାରି ରଖବାକୁ ଚାହିଁବ । ଏବେ ଦମଦାର ଫର୍ମରେ ନଜର ଆସିଛି ୨୦୨୨ ଏସିଆ କପ ଚମ୍ପିଆନ । ଚଳିତ ବର୍ଷ ଟି୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟ ପାଇଁ ଶ୍ରୀଲଙ୍କା ପ୍ରଥମେ ଟିକଟ ହାତେଇଥିଲା । ଏହା ସହିତ ସୁପର ୧୨ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆୟରଲାଣ୍ଡକୁ ସହଜରେ ପରାସ୍ତ କରିଥିଲା । ତେଣୁ ଦାସୁନ ଶନକା ଟିମ ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବେ ।