ରାଉରକେଲା:ସୁନ୍ଦରଗଡ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଗତକାଲି ଦନ୍ତା ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବିରକେରା ନିକଟସ୍ଥ ବିରିଡ଼ା ସେକ୍ସନର ବଙ୍ଗଳା ଛକ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବିରିଡ଼ା ସେକ୍ସନର ରାଣ୍ଟ ଗ୍ରାମ ନିବାସୀ ସୁରେନ୍ଦ୍ର ତିର୍କୀ ବୋଲି ଜଣାପଡିଛି । ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରାଣ୍ଟ ଗ୍ରାମବାସୀ ସୁରେନ୍ଦ୍ର ତିର୍କୀ ତାଙ୍କ ବନ୍ଧୁଙ୍କ ଘର ବଙ୍ଗଳା ଛକକୁ ଯାଇଥିଲେ । ଗତକାଲି (ସୋମବାର) ସକାଳ ପ୍ରାୟ ୭ଟା ବେଳେ ବଙ୍ଗଳା ଛକ ନିକଟରେ ଥିବା ପୋଖରୀ କୂଳକୁ ସେ ଶୌଚ ପାଇଁ ଯାଉଥିଲେ । ସେହି ସମୟରେ ସେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ତାଙ୍କୁ କଚାଡି ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଦନ୍ତାଟି ସେଠାରୁ ରେଲାପୋଷ ଆଡ଼କୁ ଯାଇଥିଲା । ସେଠାରେ ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ପଲ୍ଲବୀ ଟପ୍ପୋ ତାଙ୍କ ୨ ବର୍ଷର ଶିଶୁକନ୍ୟାକୁ କୋଳରେ ଧରି ବାପଘରକୁ ଚାଲି ଚାଲି ଯାଉଥିଲେ । ସେହି ସମୟରେ ମାଆ ଓ ଶିଶୁକନ୍ୟା ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଦନ୍ତାକୁ ଘଉଡ଼ାଇବା ସହ ମାଆ ଓ ୨ ବର୍ଷର ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।