ସୁନ୍ଦରଗଡ: ପୁଣି ଆରମ୍ଭ ହେଲା ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ । ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଗୁରୁବାର ପୁଣିଥରେ ଆରମ୍ଭ ହୋଇଛି। ଗୁରୁବାର ଠାରୁ ଏହି କାର୍ଯ୍ୟକ୍ରମ ଅନୁବନ୍ଧିତ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୪୫ଟି ଘରୋଇ କ୍ଲିନିକରେ ଚାଲିଛି ।
ଗର୍ଭବତୀ ମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ମାଗଣାରେ ଡାକ୍ତର ପରାମର୍ଶ କରିବା ସହ ଅଲଟ୍ରାସାଉଣ୍ଡ୍ ଓ ଅନ୍ୟାନ୍ୟ ପରୀକ୍ଷା କରିଛନ୍ତି । ଏହିସବୁ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯାଉଛି । ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ୨୦୨୦ ଅକ୍ଟୋବର ୧୧ ତାରିଖରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା।
ସାରା ଜିଲ୍ଲାରେ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖରୁ କାର୍ଯ୍ୟକାରୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁବିଧା ଦିଆଯାଉଛି ।