ସମ୍ବଲପୁର: ସମ୍ବଲପୁରରେ ମାତୁଛନ୍ତି ଝାଡଖଣ୍ଡ ଅଫିମ ମାଫିଆ । ଅଫିମ ଚାଷକୁ ନେଇ ଚିନ୍ତାରେ ଜିଲ୍ଲା ଅବକାରୀ ବିଭାଗ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ବ୍ଲକ ଗୋପାଳପୁର ଗାଁ ଅଫିମ ଚାଷର ହବ୍ ପାଲଟିଛି । ଝାଡଖଣ୍ଡର ମାଫିଆମାନେ ଅଫିମ ଚାଷ ଆରମ୍ଭ କରିଥିବାରୁ ଏବେ ଚିନ୍ତାରେ ପଡିଛି ଅବକାରୀ ବିଭାଗ । ମୁଖ୍ୟତଃ ଝାରଖଣ୍ଡର ମାଫିଆମାନେ ନିଜର ପରିଚୟ ଗୁପ୍ତ ରଖି ସ୍ଥାନୀୟ ଗରିବ ଲୋକଙ୍କୁ ପ୍ରଲୋଭନ ଦେଖାଇ ଏଠାରେ ଅଫିମ ଚାଷ ଆରମ୍ଭ କରିଥିବା ଅବକାରୀ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।
ତେବେ ସ୍ଥାନୀୟ ସୂତ୍ର ଓ ଲୋକଙ୍କୁ ଧରି ଏହି ଅଫିମ ଚାଷର କିଙ୍ଗ୍ପିନ୍କୁ ଧରିବାକୁ ଚେଷ୍ଟା କରୁଛି ଅବକାରୀ ବିଭାଗ । ଏଥିପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ ସେଠ । ସୂଚନାଯୋଗ୍ୟ ଯେ ଗତ 19 ତାରିଖରେ ନାକଟିଦେଉଳ ବ୍ଲକର ଗୋପାଳପୁର ଗାଁର ଜଙ୍ଗଲ ଭିତରେ ବେଆଇନ ଅଫିମ ଚାଷ ହେଉଥିବା ଠାବ ହୋଇଥିଲା । ତେବେ ଏହାକୁ ଠାବ କରିବାକୁ ଅବକାରୀ ବିଭାଗକୁ 15 ଦିନ ଲାଗିଥିଲା । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ 40 ଡ଼ିସିମିଲ ଜମିରେ ଅଫିମ ଚାଷ ନଷ୍ଟ କରିଥିଲେ । ଏହି ସ୍ଥାନରେ 8000 ଅଫିମ ଗଛ ନଷ୍ଟ କରାଯାଇଥିବା ବେଳେ 4 କେଜି 600 ଗ୍ରାମ ପ୍ରୋସେସଡ଼ ଅଫିମ ମଧ୍ୟ ଜବତ ହୋଇଥିଲା । ଗଞ୍ଜେଇ ପରେ ଏବେ ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର କେତେକ ଅଞ୍ଚଳ ।