ଓଡିଶା

odisha

ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି, ଉଜୁଡୁଛି ମାଟି ମୂର୍ତ୍ତି କାରୀଗରଙ୍କ ଜୀବିକା

By ETV Bharat Odisha Team

Published : Sep 18, 2023, 2:24 PM IST

ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ପାଇଁ କମୁଛି ମାଟି ମୂର୍ତ୍ତିର ଚାହିଦା । ଫଳରେ ମୂର୍ତ୍ତି କାରିଗର ପାଉ ନାହାନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ । ଅଧିକ ପଢନ୍ତୁ

ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି
ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି

ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି

ରାୟଗଡା:ଆସୁଛନ୍ତି ଗଜାନନ । ପୁରପଲ୍ଲୀଠାରୁ ସହର ଯାଏଁ ସବୁଠି ପୂଜା ପାଇବେ ଅଗ୍ରପୂଜ୍ୟ ଗଣେଶ । ମାଟି ମୂର୍ତ୍ତି ପରିବର୍ତ୍ତେ ଏବେ ବଜାରରେ ଶୋଭା ପାଉଛି ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସରେ ନିର୍ମିତ ଶହଶହ ମୂର୍ତ୍ତି । ଏହି ମୂର୍ତ୍ତିର ଚାହିଦା ବଢି଼ିଥିବା ବେଳେ ଏବେ ଚିନ୍ତାରେ ମାଟି ମୂର୍ତ୍ତି କାରିଗର । ପାର୍ବଣ ଆସିଲେ ରାୟଗଡ଼ାରେ ମୂର୍ତ୍ତି କାରିଗର ମନରେ ଅନେକ ଆଶା ଓ ଭରସା ନେଇ ମାଟି ମୂର୍ତ୍ତି ପ୍ରସ୍ତୁତ କରନ୍ତି । ହେଲେ ବଜାରରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ମୂର୍ତ୍ତି ପ୍ରବେଶ କରିବା ପରଠୁ ମାଟି ମୂର୍ତ୍ତିର ଚାହିଦା କମିବାରେ ଲାଗିଛି । ଫଳରେ ମୂର୍ତ୍ତି କାରିଗର ସେମାନଙ୍କ ପରିଶ୍ରମର ମୂଲ୍ୟ ପାଆନ୍ତି ନାହିଁ ।

ଦୀର୍ଘ 40 ବର୍ଷ ହେବ ପାର୍ବଣ ଋତୁ ଆସିଲେ ଦୁଇମାସ ପୂର୍ବରୁ ରାୟଗଡାକୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ଆସିଥାଆନ୍ତି ମୂର୍ତ୍ତି କାରିଗର । ଆଶା ଥାଏ 2 ପଇସା ରୋଜଗାର କରି ପରିବାର ପୋଷଣ କରିବେ । ସେହି ଆଶାରେ ଝାଳବୁହା ପରିଶ୍ରମ ସାଙ୍ଗକୁ ଧାର ଉଦ୍ଧାର ହୋଇ ମାଟି, ରଙ୍ଗ, କପଡ଼ା, ବାଉଁଶ, ନଡ଼ା ଭଳି ଅନେକ ଆବଶ୍ୟକ ସରଞ୍ଜାମ କିଣି ଗଢ଼ି ଚାଲନ୍ତି ଗଣେଶ ମୂର୍ତ୍ତି । କେବଳ ସେତିକି ନୁହେଁ ସେମାନଙ୍କର ରହିବା,ଖାଇବାରେ ମଧ୍ୟ ଖର୍ଚ୍ଚ ହୁଏ ଅନେକ ଟଙ୍କା। ପୂଜାର କିଛି ଦିନ ପୂର୍ବରୁ ବିଭିନ୍ନ ଆକୃତିରେ ମୂର୍ତ୍ତିଗୁଡ଼ିକୁ ସଜେଇ ରଖି ଅପେକ୍ଷାରେ ରହିଥାନ୍ତି ଗ୍ରାହକଙ୍କୁ । କିନ୍ତୁ ଦିନକୁ ଦିନ ପୂଜା ପାଖେଇ ଆସିବା ବେଳେ ମଉଳି ଯାଏ ସେମାନଙ୍କ ଜୀବନ ଜୀବିକା ପାଇଁ ରୋଜଗାର କରିବାକୁ ମନରେ ବାନ୍ଧିଥିବା ଆଶା ।

କାରଣ ଯେଉଁ ଦିନଠାରୁ ବଜାରକୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ମୂର୍ତ୍ତି ପ୍ରବେଶ କରିଛି ସେହି ଦିନଠାରୁ ରାୟଗଡ଼ାକୁ ପାର୍ବଣ ଋତୁରେ ମୂର୍ତ୍ତି କାରୀଗରଙ୍କ ଆସିବା ଧୀରେଧୀରେ କମିବା ସହ ମୂର୍ତ୍ତି ଗଢ଼ିବା ସଂଖ୍ୟା ମଧ୍ୟ କମିବାରେ ଲାଗିଛି । 5 ବର୍ଷ ପୂର୍ବରୁ ରାୟଗଡ଼ା ଜିଲ୍ଲାକୁ 10 ଜଣ କାରିଗରଙ୍କ ସହ ଜଣେ କାରୀଗରଙ୍କ ସହ 6 ଜଣ ସହଯୋଗୀ ରହୁଥିଲେ । ହେଲେ ବର୍ତ୍ତମାନ 2 ଜଣ କାରିଗର ମୂର୍ତ୍ତି ଗଢ଼ୁଛନ୍ତି ଏବଂ 6 ଜଣ ସହଯୋଗୀଙ୍କ ସ୍ଥାନରେ 2 ଜଣ ଲେଖାଏଁ ସହଯୋଗୀ ରହିଛନ୍ତି। ସେହି ଅନୁପାତରେ 5 ରୁ 10 ହଜାର ମୂର୍ତ୍ତି ଗଢୁଥିବା ବେଳେ ବର୍ତ୍ତମାନ 100 ମୂର୍ତ୍ତି ବିକ୍ରି ହେଉନଥିବା ପ୍ରକାଶ କରିଛନ୍ତି ମୂର୍ତ୍ତି କାରିଗର ସର୍ବେଶ୍ୱର ବେହେରା।

ଏହା ମଧ୍ୟ ପଢନ୍ତୁ- ପୂଜା ପାଇବନି ପ୍ଲାଷ୍ଟର ଅଫ ପ୍ୟାରିସ ଗଣେଷ ମୂର୍ତ୍ତି, କଟକଣା ଲଗାଇଲା ପ୍ରଶାସନ

ସେହିପରି କାଁ ଭାଁ କିଛି ଲୋକ ପରମ୍ପରାକୁ ବିଶ୍ୱାସ କରି କିମ୍ବା ପରିବେଶ ,ଜଳ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମାଟି ମୂର୍ତ୍ତି ପୂଜା କରୁଥିବା କହିଛନ୍ତି ପ୍ରଣବ ଗଣପଥ । ତେବେ ଭଳିକି ଭଳି ପ୍ଲାଷ୍ଟର ଅଫ୍‌ ପ୍ୟାରିସର ମୂର୍ତ୍ତି, ସୁନ୍ଦର ସାଙ୍ଗକୁ ନେବା ଆଣିବା ସମୟରର ଭାଙ୍ଗିବା ଭୟ ନ ଥାଏ ଏବଂ ତାହା ଛାଞ୍ଚ ଦ୍ୱାରା ଗଢ଼ା ଯାଇଥିବାରୁ ସୌନ୍ଦର୍ଯ୍ୟ ଦୁଇ ଗୁଣ ବଢ଼ିଯାଇଥାଏ । ଫଳରେ ମାଟି ମୂର୍ତ୍ତିଠାରୁ ଅଧିକ ଦର ହେଲେବି ଲୋକେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ମୂର୍ତ୍ତି ପ୍ରତି ଅଧିକ ଆତ୍କୃଷ୍ଟ ହୋଇ କିଣି ଥାଆନ୍ତି ।


ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details