ପୁରୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀରହରେକୃଷ୍ଣପୁରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ହଜାର ହଜାର ବିଜେପି କର୍ମୀମାନେ ମଧ୍ୟ ଏହି କାର୍ଯକ୍ରମରେ ସାମିଲ ହୋଇଥିଲେ। ସମସ୍ତେ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରେ ପହଞ୍ଚି ପ୍ରଥମେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥଲେ।
ପରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅବସରରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥଲା। ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ଅଭିମୁଖେ ନିଆଯାଇଛି। ଏହି ମାଟି ଦିଲ୍ଲୀରେ ଥିବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ହେବାକୁ ଥିବା ଅମୃତ ବାଟିକାରେ ବ୍ୟବହାର ହେବ। ଗତ ଅଗଷ୍ଟ 9 ତାରିଖରୁ ଏହି ଅମୃତ କଳସ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆରମ୍ଭ ହୋଇଛି। ସାରା ଦେଶରୁ ଶହୀଦ ହୋଇଥିବା ବୀରଙ୍କ ଜନ୍ମ ସ୍ଥାନରୁ ଅମୃତ କଳସ ଶୋଭାଯାତ୍ରା ମାଧ୍ୟମରେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀରେ ହେବାକୁ ଥିବା ଅମୃତ ବାଟିକାରେ ବ୍ୟବହାର ହେବ। ସେହିପରି ମାଟି ସହ ଛୋଟ ଚାରା ମଧ୍ୟ ସଂଗ୍ରହ କରାଯିବ। ଦେଶର ଏକତା ଅଖଣ୍ଡତା ପାଇଁ ଜୀବନ ଦେଇଥିବା ବୀରଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ପଞ୍ଚ ପ୍ରାଣ ଶପଥ ପାଠ ଅନୁଷ୍ଠିତ ହୋଇଥଲା।