ଓଡିଶା

odisha

ମହାନଦୀ ଗର୍ଭରେ ପୁରୁଣା ଗୋପୀନାଥ ମନ୍ଦିର, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

By

Published : May 7, 2022, 9:40 PM IST

କଳିଙ୍ଗର ସ୍ଥାପତ୍ୟ, କଳା ପୃଥିବୀର ବହୁ ମନୀଷୀଙ୍କୁ ଆକୃଷ୍ଟ କରିଛି । ମନ୍ଦିରର ସୁନ୍ଦର, ନିଖୁଣ କାରୁକାର୍ଯ୍ୟ ଦେଖିଲେ କଳିଙ୍ଗ ଶିଳ୍ପୀଙ୍କ ବଳିଷ୍ଠ ପ୍ରତିଭାର ପରିଚୟ ମିଳେ । ଏଭଳି ଅନେକ ପୁରାତନ କୀର୍ତ୍ତିରାଜି ଆଜି କେଉଁଠି ସମୁଦ୍ର ବୁକୁରେ ତ ଆଉ କେଉଁଠି ନଦୀର ଗଭୀର ଜଳରାଶି ମଧ୍ୟରେ ବିଲୁପ୍ତ ପ୍ରାୟ । କାଳକ୍ରମେ ଗଭୀର ଜଳରାଶି ମଧ୍ୟରେ ବୁଡି ରହିଥିବା ୫୦୦ ବର୍ଷର ପୁରୁଣା ମନ୍ଦିର ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟରେ ପୁଣି ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ମହାନଦୀ ଗର୍ଭରେ ପୁରୁଣା ଗୋପୀନାଥ ମନ୍ଦିର, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ସ୍ଥାନୀୟ ଲୋକଙ୍କ ଦାବି
ମହାନଦୀ ଗର୍ଭରେ ପୁରୁଣା ଗୋପୀନାଥ ମନ୍ଦିର, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ନୟାଗଡ଼: ମହାନଦୀର ଅଥଳ ଜଳ ରାଶିରେ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମନ୍ଦିରକୁ ନେଇ ପୁଣି ଚର୍ଚ୍ଚା । ମହାନଦୀ ଗର୍ଭରେ ପୁଣି ଦୃଶ୍ୟମାନ ହେଉଛି ୫00 ବର୍ଷର ପୁରୁଣା ମନ୍ଦିର । ଯାହାକୁ ଦେଖିବାକୁ ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । 1400ରୁ 1600 ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଏହି ମନ୍ଦିର ଦେଖିବାକୁ ମିଳିଛି । ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ଜଳ ରାଶିରେ ବୁଡି ରହିଛି । କେବଳ ଏହି ଗୋପୀନାଥ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଛି । ଏଭଳି ପୁରାତନ ମନ୍ଦିରର ସର୍ବେକ୍ଷଣ କରାଯାଇ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ମହାନଦୀ ଗର୍ଭରେ ପୁରୁଣା ଗୋପୀନାଥ ମନ୍ଦିର, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ଅବଶିଷ୍ଟ ଅଂଶ ବାଲିରେ ପୋତି ହୋଇଯାଇଛି l ନୌକା ବିହାର କରି ଲୋକେ ମନ୍ଦିରର ଦଧିନଉତି ଦେଖିବାକୁ ଯାଇଥାନ୍ତି । ଲଗାତାର ଭାବେ 2020 ପରଠାରୁ କେବଳ ଗ୍ରୀଷ୍ମ ଦିନରେ କିଛି ଦିନ ପାଇଁ ଏହାକୁ ଦେଖିବାକୁ ମିଳିଥାଏ l 2020 ମସିହା ପୂର୍ବରୁ ପ୍ରାୟ 11 ବର୍ଷ ତଳେ ଏହାକୁ ଦେଖିବାକୁ ପାଇଥିଲେ ଲୋକେ । ଏହି ସ୍ଥାନରେ ପୂର୍ବରୁ ଲୋକମାନେ ବସବାସ କରୁଥିଲେ । କାଳକ୍ରମେ ମହାନଦୀ ନିଜର କାୟାବିସ୍ତାର କରିବାରୁ ଏଠାକାର ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଲା । ମହାନଦୀ ଗର୍ଭରେ ଲୀନ ହୋଇଗଲା ପୁରା ଅଞ୍ଚଳ । ପ୍ରାୟ ୭ ଖଣ୍ଡ ଗାଁ ମହାନଦୀର ଗର୍ଭରେ ଲୀନ ହୋଇଯାଇଛି । ନିଜକୁ ବଞ୍ଚାଇବାକୁ ସ୍ଥାନୀୟ ଲୋକେ ଏହି ସ୍ଥାନ ଛାଡ଼ି ପ୍ରାୟ 2 କିଲୋମିଟର ଉଠିଆସିଲେ । ଏବେ ପଦ୍ମାବତୀ ଗାଁରେ ଲୋକେ ରହିଆସୁଛନ୍ତି । ପୁରୁଣା ପଦ୍ମାବତୀ ଗାଁ ମହାନଦୀରେ ଲୀନ ହୋଇଯାଇଛି । କୂଳରେ ଥିବା ଗୋପୀନାଥ ମନ୍ଦିରରେ ଏବେ ମହାଦେବ ପୂଜା ପାଉଛନ୍ତି ।

ତେବେ ଏତେ ପୁରାତନ ମନ୍ଦିରର ସମ୍ପୂର୍ଣ୍ଣ ଐତିହାସିକ ଘଟଣା ଲୋକଲୋଚନକୁ ଆସିପାରିନାହିଁ । 2020 ମସିହା ପରଠାରୁ ଏହି ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଛି । ପ୍ରତି ବର୍ଷ ଏପ୍ରିଲ ଓ ମେ ମାସରେ କିଛି ଦିନ ପାଇଁ ଏହି ଗୋପୀନାଥ ମନ୍ଦିରର ଦଧିନଉତି ଦେଖିବାକୁ ମିଳିଥାଏ । ସ୍ଥାନୀୟ ଅଞ୍ଚଳବାସୀ ଏହି ମନ୍ଦିରକୁ ଠାବ କରିବା ପାଇଁ ଦଧିନଉତି ଉପରେ ପତାକା ବାନ୍ଧିଛନ୍ତି । ମହାନଦୀର ଜଳସ୍ତର ଏବଂ ପ୍ରଖରତା ହ୍ରାସ ପାଇବା ପରେ ଏହି ଗୋପୀନାଥ ମନ୍ଦିର ପାଖକୁ ଲୋକେ ଯାଇଥାନ୍ତି । ପଦ୍ମାବତୀ ଗାଁର ଲୋକମାନେ ଏହି ସ୍ଥାନକୁ ଯାଇ ପୂର୍ବ ପୁରୁଷଙ୍କୁ ମନେ ପକାଇଥାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ କିମ୍ବା ରାଜ୍ୟ ସରକାର ଏହି ମନ୍ଦିର ଉପରେ ସର୍ବେକ୍ଷଣ କରିନାହାନ୍ତି । ସର୍ବେକ୍ଷଣ କରାଗଲେ ମନ୍ଦିର ଏବଂ ପ୍ରାଚୀନ ସଭ୍ୟତା ସମ୍ପର୍କରେ ଜଣାପଡନ୍ତା । ମହାନଦୀ କୂଳରେ ଥିବା ଏହି ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଏହାର ବିକାଶ କରିବାକୁ ଲୋକେ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details