ଓଡିଶା

odisha

କଟକଣାକୁ ଆଖି ଠାର, ଶହ ଶହ ଲୋକ ରୁଣ୍ଡ ହେଲେ ଭୋଜି ଭାତ କଲେ

By

Published : Jan 31, 2022, 9:20 AM IST

କଟକଣାକୁ ଚଟକଣା । ତ୍ରିସ୍ତରୀୟ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ହେଲେ ଏହାକୁ ମାନୁଛି କିଏ । ନିର୍ବାଚନ ପାଇଁ ଭୁଲିଗଲେ କୋଭିଡ କଟକଣା । ଗୋଟିଏ ଜାଗାରେ ରୁଣ୍ଡ ହେଲେ ଶହ ଶହ ଲୋକ । ପ୍ରଚାର ସାଙ୍ଗକୁ ଜମିଲା ଭୋଜି ଭାତର ଆସର । ନା ଥିଲା ଆଇନକୁ ଖାତିର ନା ମହାମାରୀକୁ ଭୟ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସୁନାବେଢା ପଞ୍ଚାୟତର ନାୟକଗୁଡା ଠାରେ । ଅଧିକ ପଢନ୍ତୁ

କଟକଣାକୁ ଆଖି ଠାର
କଟକଣାକୁ ଆଖି ଠାର

ନବରଙ୍ଗପୁର: କଟକଣାକୁ ଚଟକଣା । ତ୍ରିସ୍ତରୀୟ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ହେଲେ ଏହାକୁ ମାନୁଛି କିଏ । ନିର୍ବାଚନ ପାଇଁ ଭୁଲିଗଲେ କୋଭିଡ କଟକଣା । ଗୋଟିଏ ଜାଗାରେ ରୁଣ୍ଡ ହେଲେ ଶହ ଶହ ଲୋକ । ପ୍ରଚାର ସାଙ୍ଗକୁ ଜମିଲା ଭୋଜି ଭାତର ଆସର । ନା ଥିଲା ଆଇନକୁ ଖାତିର ନା ମହାମାରୀକୁ ଭୟ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସୁନାବେଢା ପଞ୍ଚାୟତର ନାୟକଗୁଡା ଠାରେ ।

ଉମରକୋଟ ବ୍ଳକ ଜୋନ୍ ନମ୍ଵର୍ ୨ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଛାୟା ବିଶ୍ବାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ନବରଙ୍ଗପୁର ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀ । ତ୍ରିସ୍ତରୀୟ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଏଥି ସହ ଜାରି ହୋଇଛି ଗାଇଡଲାଇନ । ଚଳିତ ପଞ୍ଚାୟତ ନିର୍ବାଚନରେ ସଭାସମିତିକୁ ସମ୍ପୂର୍ଣ୍ଣ ନା କରାଯାଇଥିବା ବେଳେ, କେବଳ ୫ ଜଣ ବ୍ୟକ୍ତିଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିବା ପାଇଁ ପ୍ରାର୍ଥୀଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

କଟକଣାକୁ ଆଖି ଠାର

ଏଥି ସହିତ କୋରୋନା କଟକଣା କାରଣରୁ ସମ୍ପୂର୍ଣ୍ଣ ଗାଇଡଲାଇନ ପାଳନ କରି ପ୍ରଚାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ତତ୍ ସଙ୍ଗେ ସଙ୍ଗେ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଚଳିତ ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ଅନୁଷ୍ଠିତ ହେବ ଏବଂ ଯେ କେହି ମଧ୍ୟ ଏହାକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହାକୁ ଶାସକ ଦଳ ବେଖାତିର୍ କରିଥିବା ଦେଖିବାକୁ ମିଳଛି ।

ଉମରକୋଟ ବ୍ଳକ ଜୋନ୍ ନମ୍ଵର୍ ୨ର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ଛାୟା ବିଶ୍ବାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ନବରଙ୍ଗପୁର ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀ । ପ୍ରଚାର ପାଇଁ ପ୍ରାୟ ଦୁଇ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା । ଏଥି ସହିତ ସଭା ମଧ୍ୟ ଅନୁଷ୍ଠିତ ସହ ବେଳେ ଭୋଜିଭାତର ଆସର ମଧ୍ୟ ଜମିଥିଲା । ଏଥି ପୂର୍ବରୁ ଏହି ସମାବେଶରେ ଯୋଗ ଦେବା ପାଇଁ ପ୍ରତ୍ଯେକ ପଞ୍ଚାୟତରୁ ୨ ଶହ ଲୋକଙ୍କୁ ଆଣିବା ନେଇ କୁଆଡେ ନିର୍ଦ୍ଦେଶ ରହିଥିବା କିଛି କର୍ମୀ ପ୍ରକାଶ କରିଥିଲେ ।

ଯାହା ଫଳରେ ୯ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ କର୍ମୀମାନେ ଲୋକଙ୍କୁ ଗାଡି ଭଡା କରି ଆଣିଥିଲେ ଏବଂ ସଭା ସ୍ଥଳ ଜନ ସମୁଦ୍ରରେ ପରିପୂର୍ଣ୍ଣ ହୋଇଥିଲା । ଖାଲି ଏତିକି ନୂହେଁ ଏହି ସମାବେଶରେ ଛୋଟ ଛୋଟ ପିଲାଙ୍କୁ ମଧ୍ୟ ଦଳୀୟ ଉତ୍ତରୀୟ ପିନ୍ଧାଇ ବସାଯାଇଥିଲା । ଏପରିକି ସମାବେଶରେ କୋରୋନା କଟକଣାକୁ ବିଜେଡି ନେତା ଓ କର୍ମୀ ସମ୍ପୂର୍ଣ୍ଣ ଫୁ କରି ଉଡାଇ ଦେଇଥିବା ଦେଖାଯାଇଥିଲା । ସାମାଜିକ ଦୂରତା ଦୂରର କଥା ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା ।

କଡା ତାଗିଦ୍ ସତ୍ତ୍ୱେ ସାଂସଦ ଏହାକୁ ବେଖାତିର୍ କରି ଏହି ନିର୍ଦ୍ଦେଶକୁ ଅଣଦେଖା କରୁଥିବା ଦେଖାଯାଇଛି । ନିର୍ବାଚନ କମିଶନଙ୍କ ନିର୍ବାଚନ ଆଚରଣ ବିଧିକୁ ବେଖାତିର କରି ଧର୍ମକୁ ଆଖିଠାର ମାରିବା ଭଳି ଆଚରଣ କରୁଥିବା ଦେଖିବାକୁ ମିଳିିଛି । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବା ପାଇଁ ମଧ୍ୟ ସାଂସଦ ମନା କରିଦେଇଥିଲେ । ଏହି ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ଗୁଡ଼ିକର ହୋର୍ଡ଼ିଂ ଗୁଡିକୁ ହଟାଇବାରେ ମଧ୍ୟ କର୍ମଚାରୀମାନେ ପାତରଅନ୍ତର ନୀତି ଅବଲମ୍ବନ କରିଥିବା ଦେଖାଯାଇଥିବା ବେଳେ ପଞ୍ଚାୟତ ଗୁଡିକରେ ଶାସକ ଦଳର ହୋର୍ଡ଼ିଂ ଗୁଡିକୁ ହଟା ଯାଇ ନଥିବା ଦେଖାଯାଇଥିଲା । ତେବେ ସମାବେଶ ପରେ ଅନ୍ୟ ରାଜନୈତିକ ଦଳ ଏବଂ ଜନ ସାଧାରଣ ଏହାକୁ ନିନ୍ଦନୀୟ ବୋଲି କହିବା ସହ ଏହା ଶାସକ ଦଳର ସ୍ୱେଚ୍ଛାଚାରିତା ବୋଲି କହିଛନ୍ତି।

କଂଗ୍ରେସ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ କହିଛନ୍ତି, ଯଦି ଶାସକ ଦଳରେ ରହି ସାଂସଦ ଆଚରଣ ବିଧି ଉଲଙ୍ଘନ କରୁଛନ୍ତି, ତାହେଲେ ବିରୋଧୀ ଦଳ ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରିବେ ଏବଂ ଏଥିପାଇଁ ତାଙ୍କୁ କେହି ମଧ୍ୟ ବାଧା ଦେଇ ପାରିବେ ନାହିଁ । ସେହିପରି ବିଜେପି ତରଫରୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସମାନ ମନ୍ତବ୍ୟ ଦେବା ସହ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଏହି ସମାବେଶରେ ଉପସ୍ଥିତ ସମସ୍ତ ବିଜେଡି ନେତାଙ୍କ ଉପରେ ନିର୍ବାଚନ କମିଶନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ନଚେତ୍ ଆଗାମୀ ଦିନରେ ବିଜେପି ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରିବା ପାଇଁ ବାଧ୍ୟ ହେବ ବୋଲି କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ABOUT THE AUTHOR

...view details