ନବରଙ୍ଗପୁର/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ବାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷ ଜମିକୁ ପାଣି ମିଳିବ । ସେହିପରି ତୁରୀ-ଗୁନ୍ତାତ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍ ନିର୍ମାଣ କରାଯିବ । ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ବାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷଜମିକୁ ପାଣି ମିଳିପାରିବ ।
ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପଲାଇନ ମାଧ୍ୟମରେ ଜଳସେଚନ କରାଯିବ । ଏହାଦ୍ବାରା ଏହି ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଯୋଗୁଁ କୌଣସି ବିସ୍ଥାପନର ଆବଶ୍ୟକତା ନାହିଁ । ଭିଡିଓ କନ୍ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ନବରଙ୍ଗପୁର ଜିଲ୍ଲା ପାଇଁ ମୋର ସ୍ବତନ୍ତ୍ର ଧ୍ୟାନ ରହିଛି । ମାର୍ଚ୍ଚ ମାସରେ ମୋ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ନବରଙ୍ଗପୁର ଯାଇଥିଲେ । ଆପଣମାନଙ୍କ ସହିତ ମିଶିଥିଲେ । ବିଭିନ୍ନ ବିକାଶମୂଳକ କାମ ବୁଲି ଦେଖିଥିଲେ । ଆପଣମାନଙ୍କ ଯାହା ସବୁ ପ୍ରସ୍ତାବ ଅଛି, ସବୁ ଆମେ କାର୍ଯ୍ୟକାରୀ କରିବୁ । ଆଗାମୀ କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ଼ ରୂପାନ୍ତର ହେବାକୁ ଯାଉଛି ।"
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ନବରଙ୍ଗପୁର ଜିଲ୍ଲା ପାଇଁ ଏକ ଖୁସିର ଦିନ । କିଛିଦିନ ତଳେ ଲକ୍ଷ୍ମୀ ଯୋଜନା ଆରମ୍ଭ ସମୟରେ ମୁଁ ଆପଣମାନଙ୍କୁ ଭେଟିଥିଲି । ମୋର ବିଶ୍ବାସ, ଲକ୍ଷ୍ମୀ ଯୋଜନା ଆପଣଙ୍କ ଜୀବନଧାରାକୁ ସହଜ କରୁଥିବ । କୃଷି ଆମ ଅର୍ଥନୀତିର, ଆମ ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ । ସେଥିପାଇଁ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ପାଇଁ ମୁଁ ସବୁବେଳେ ଗୁରୁତ୍ବ ଦେଇଆସିଛି । ସାରା ରାଜ୍ୟରେ ଅନେକ ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହୀନ ଋଣ ଆଦି ଅନେକ ସୁବିଧା କରାଯାଉଛି । ଚାଷୀ ଓ ମାଆ ମାନଙ୍କ ଉନ୍ନତି ବିନା ବିକାଶର ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ । ସେଥିପାଇଁ ଚାଷୀମାନଙ୍କ କଲ୍ୟାଣ, ମାଆ ମାନଙ୍କ କଲ୍ୟାଣ ମୋର ସବୁବେଳେ ମୁଖ୍ୟ ଫୋକସ ହୋଇରହିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ଆମେ ଗାଁର ସବୁ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଏବେ ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ । ଅର୍ଥ ଅଭାବରୁ କେହି ଯେପରି ଭଲ ଚିକିତ୍ସା ପାଇବାରୁ ବଞ୍ଚିତ ନହେବେ, ତାହା ତାଙ୍କର ଲକ୍ଷ୍ୟ । ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ ।"