ଓଡିଶା

odisha

ଗୁଣିଗାରେଡି ଓ ପ୍ରତିଶୋଧର ଭୟଙ୍କର ପରିଣାମ, ପୁତୁରାକୁ ହତ୍ୟା କଲା ବଡ଼ମାଆ

By

Published : Oct 22, 2022, 12:17 PM IST

ପ୍ରତିଶୋଧ ପରାୟଣରେ ବଳି ପଡ଼ିଲା ୮ ବର୍ଷର ନାବାଳକ । ଗୁଣି ଗାରେଡ଼ି ସନ୍ଦେହରେ ନିଜ ପୁତୁରାକୁ ହତ୍ୟା କଲା ବଡ଼ମାଆ । ଅଧିକ ପଢ଼ନ୍ତୁ

woman killed her nephew in mayurbhanj
ପ୍ରତିଶୋଧ ପରାୟଣରେ ପୁତୁରାକୁ ହତ୍ୟା କଲା ବଡ଼ମାଆ

ରାଇରଙ୍ଗପୁର:ଗୁଣି ଗାରେଡ଼ି ସନ୍ଦେହରେ ବଳି ପଡ଼ିଲା ୮ ବର୍ଷ ପୁଅ । ପୁତୁରାକୁ ତଣ୍ଟି ଚିପି ହତ୍ୟା କଲା ବଡ଼ମାଆ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବିଞ୍ଝୁଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରତିଶୋଧ ପରାୟଣରେ ପୁତୁରାକୁ ହତ୍ୟା କଲା ବଡ଼ମାଆ

ଘଟଣାରୁ ପ୍ରକାଶ ଯେ, ବିଞ୍ଝୁଆ ଗ୍ରାମର କାରୁ ସୋରେନଙ୍କ ବଡ଼ ଝିଅ ଓ ୮ ବର୍ଷର ପୁଅ ଜଗନ୍ନାଥ ବୁଧବାର ରାତିରେ ଗ୍ରାମରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ । ରାତିରେ ଭାଇ ଓ ଭଉଣୀ ଦୁହେଁ ଘରକୁ ଆସି ଖାଇ ସାରିବା ପରେ ପୁଣି ଜଗନ୍ନାଥ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲା । ତେବେ କିଛି ସମୟ ପରେ ଭଉଣୀ ମଧ୍ୟ ସେଠାକୁ ଯାଇଥିବାବେଳେ ଭାଇ ଜଗନ୍ନାଥକୁ ନ ପାଇ ବାପା ମାଆଙ୍କୁ ଜଣାଇଥିଲେ । ରାତି ସାରା ପରିବାର ଲୋକେ ଜଗନ୍ନାଥକୁ ଖୋଜାଖୋଜି କରି ପାଇ ନଥିଲେ ।

ଗୁରୁବାର ସକାଳୁ ତାଙ୍କ ଘର ବାଡ଼ି ପଛପଟ ବୁଦା ନିକଟରେ ଜଗନ୍ନାଥର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଅକୁ ହତ୍ୟା କରାଯାଇଥିବା ନେଇ ବାପା କାରୁ ସୋରେନ ତିରିଂ ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତିରିଂ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ । ନାବାଳକ ହତ୍ୟା ସନ୍ଦେହରେ ତିରିଂ ଥାନା ପୋଲିସ ବିଞ୍ଝୁଆ ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ପରେ ଜଗନ୍ନାଥର ବଡ଼ମାଆ ତୁଳସୀ ସୋରେନଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରା ହୋଇଥିଲା । ଏହାପରେ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ନାବାଳକର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

ବଡ଼ମାଆ ତୁଳସୀ ସୋରେନ ନିଜେ ପୁତୁରା ଜଗନ୍ନାଥକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ । ଏନେଇ ରାଇରଙ୍ଗପୁର ଏସଡିପିଓ କହିଛନ୍ତି, "ପୂର୍ବରୁ ତୁଳସୀ ସୋରେନଙ୍କ ପୁଅ, ସ୍ବାମୀ ଓ ଦିଅର କୌଣସି କାରଣରୁ ମୃତ୍ୟୁ ବରଣ କରିଥିଲେ । ମୃତ ଜଗନ୍ନାଥର ବାପା ଓ ମାଆ ଗୁଣିଗାରେଡି ଡାହାଣୀ ବିଦ୍ୟା ଦ୍ବାରା ସେମାନଙ୍କୁ ମାରିଥିବା ନେଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ତୁଳସୀ । ସେଇ ରାଗରେ ବୁଧବାର ରାତିରେ ଜଗନ୍ନାଥକୁ ଏକୁଟିଆ ପାଇ ତଣ୍ଟି ଚିପି ହତ୍ୟା କରି ନିକଟସ୍ଥ ବୁଦା ମୂଳରେ ଫୋପାଡି ଦେଇଥିଲେ ବୋଲି ପୋଲିସ ଆଗରେ କହିଛନ୍ତି ।" ଏନେଇ ତିରିଂ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ତୁଳସୀକୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ ରାଇରଙ୍ଗପୁର କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details