ଓଡିଶା

odisha

ସୁବର୍ଣ୍ଣରେଖା ଓ ଦେଓ ମେଗା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

By

Published : Aug 12, 2022, 6:44 PM IST

Updated : Aug 12, 2022, 9:27 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସେହିପରି କରଞ୍ଜିଆ ଦେଓ ଜଳସେଚନ ପ୍ରକଳ୍ପକୁ ବାରିପଦା ଠାରେ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି । ଏହାସହ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣରେଖା ଓ ଦେଓ ମେଗା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଉଦଘାଟିତ, ୩ଟି ଜିଲ୍ଲାର ୨୭ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା

ମୟୂରଭଞ୍ଜ/ରାଇରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦୀର୍ଘ ୨୯ ବର୍ଷ ପୂର୍ବେ ଚାଷୀଙ୍କ ପାଇଁ ଦେଖିଥିବା ସ୍ବପ୍ନ ଆଜି ପୂରଣ ହୋଇପାରିଛି । ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜର ରାସଗୋବିନ୍ଦପୁର ସ୍ଥିତ ଟିକାପଦା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ କରଞ୍ଜିଆ ଦେଓ ପ୍ରକଳ୍ପ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପର ଉଦଘାଟନ ଫଳରେ ୩ଟି ଜିଲ୍ଲାର ୨୭ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ ।

ସୁବର୍ଣ୍ଣରେଖା ଓ ଦେଓ ମେଗା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି । ଆମର ସବୁ କାର୍ଯ୍ୟକ୍ରମ ଲୋକଙ୍କୁ ସଶକ୍ତ କରିଛି ଏବଂ ଲୋକଙ୍କ ଆଦର ଲାଭ କରିଛି ।" ସେହିଭଳି ଜିଲ୍ଲାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ "ସାରା ଭାରତରେ ମୟୂରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି । ମୟୂରଭଞ୍ଜର ଜନଜାତି ଭାଇଭଉଣୀ ମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି । ସେ ଗୌରବକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଜୀ ଆହୁରି ବୃଦ୍ଧି କରିଛନ୍ତି । ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ।" ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ମୋରଡା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ପ୍ରମୁଖ ଉପସ୍ଥିତ ରହି ମୟୂରଭଞ୍ଜର ଚାଷୀ ମାନଙ୍କ ପାଇଁ ଏହି ଦୁଇଟି ପ୍ରକଳ୍ପର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ ।

ଆଜି ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମି ପାଇଁ ଜଳସେଚନର ସୁବିଧା ମିଳିବ। ଏହାଦ୍ବାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ । ଏଥିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣରେଖା ପ୍ରକଳ୍ପ ରାଜ୍ୟ ସରକାରଙ୍କ ଏକ ବୃହତ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ବାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚନ କରା ଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା କରାଯାଇଛି ।

ସେହିଭଳି କରଞ୍ଜିଆ ଦେଓ ଜଳସେଚନ ପ୍ରକଳ୍ପ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଦିଆଯାଇଥିଲା । ତେବେ ବାରିପଦା ଠାରେ ମୁଖ୍ୟମନ୍ତ୍ରୀ ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ । ତେବେ ପ୍ରକଳ୍ପ ସ୍ଥଳରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ରାଜ୍ୟ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟସଭା ସାଂସଦ ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ତେବେ ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ପ୍ରାୟ ୧୦୦ ଟି ଗ୍ରାମର ୯୯୦୦ ହେକ୍ଟର ଚାଷ ଜମିରେ ଜଳ ସେଚନ ହୋଇ ପାରିବ ଏବଂ ଏହାଦ୍ବାରା ଚାଷୀ ମାନେ ଉପକୃତ ହୋଇ ପାରିବେ ।

ଇଟିଭି ଭାରତ, ରାଇରଙ୍ଗପୁର/ମୟୂରଭଞ୍ଜ

Last Updated : Aug 12, 2022, 9:27 PM IST

ABOUT THE AUTHOR

...view details