ରାଇରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଅଧିବାସୀ ଯେତିକି ଭିନ୍ନ ତାଙ୍କ ସଂସ୍କୃତି ବି ସେତିକି ନିଆରା। ବାରମାସରେ ତେର ପର୍ବ ଭଳି ଏଠାରେ କାହିଁ କେଉଁ କାଳରୁ ବହୁ ଆଡମ୍ବରରେ ପାଳନ ହେଉଛି ନିଆଁମଡା ବା ଖନ୍ଦାମଡା ପର୍ବ । ସବୁ ବର୍ଷ ପରି ଏବର୍ଷ ମଧ୍ୟ ନିଆଁମଡା ପର୍ବରେ ମସଗୁଲ ସାନ୍ତାଳୀ ସମ୍ପ୍ରଦାୟ ।
ଆସ୍ଥା ବିଶ୍ବାସର ପର୍ବ ନିଆଁମଡା ପରମ୍ପରା ଅନୁସାରେ, ସାନ୍ତାଳୀ ସମ୍ପ୍ରଦାୟର ଦେହୁରି ଓ ମାନସିକଧାରୀ ଶ୍ରଦ୍ଧାଳୁ ନିକଟସ୍ଥ ପୋଖରୀରୁ ଘଟ ଉଠାଇ ନିଆଁମଡା ହୋଇଥିବା ସ୍ଥାନରେ ପୂଜାର୍ଚ୍ଚନା କରିଥାନ୍ତି । ଯାହା ଦେଖିବା ପାଇଁ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଏଠାକୁ ଛୁଟେ ଶହ ଶହ ଶ୍ରଦ୍ଧାଳୁଙ୍କ ସୁଅ ।
ବଡକଥା ହେଉଛି ସମାଜରେ ବଳିପ୍ରଥା ବନ୍ଦ ଥିବାବେଳେ ଏଠାରେ ଆଜିବି ଚାଲିଛି ବଳି । ମଙ୍ଗଳକାମନା କରି ଛଅ ଟି କୁକୁଡ଼ା, ଦୁଇଟି ପାରା ଓ ଗୋଟିଏ ବତକ କୁ ଅଗ୍ନି ଦେବତାଙ୍କ ଉଦ୍ଦେଶ୍ୟରେ ବଳି ଅର୍ପଣ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଅଞ୍ଚଳରେ ଭଲ ଫସଲ ହେବା ସହ ରୋଗବ୍ୟାଧି ନ ବ୍ୟାପିବା ପାଇଁ ଅଗ୍ନି ଦେବତାଙ୍କ ନିକଟରେ କାମନା କରିଥାନ୍ତି ଦେହୁରୀ ଓ ଶ୍ରଦ୍ଧାଳୁ। ସେଠାରେ ମାନସିକ ରଖି ନିଆଁ ଉପରେ ପ୍ରଦକ୍ଷଣ କରି ଯିଏ ଯାହା ମନାସେ ତାହା ନିଶ୍ଚୟ ପାଏ ବୋଲି ବିଶ୍ବାସ ରହିଛି । ବର୍ଷ ବର୍ଷ ଧରି ଚାଲିଥିବା ଏହି ମେଳାକୁ ଲାହାନ୍ତି ଯୁବକ ସଂଘ ପକ୍ଷରୁ ଆୟୋଜନ କରାଯାଉଛି । ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୂତୟନ କରାଯାଇଥାଏ ।
ଆସ୍ଥା ଓ ବିଶ୍ବାସର ପର୍ବ ନିଆଁମଡା ପର୍ବ । ସାନ୍ତାଳୀଙ୍କ ଏହି ପର୍ବ ଆଧୁନିକ ଯୁଗରେ ଭଗବାନଙ୍କ ଉପରେ ରହିଥିବା ଅତୁଟଶ୍ରଦ୍ଧା ଓ ବିଶ୍ବାସକୁ ପ୍ରତିଫଳନ କରେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ