ବାରିପଦା : ମୟୂରଭଞ୍ଜ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ମଙ୍ଗଳବାର ଜଣେ ପୋଲିସ ଏସଆଇ ଲାଞ୍ଚ ନେବା ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ସଶ୍ରମ କାରା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୪୦ହଜାର ଟଙ୍କା ଜରିମାନା କରିଛନ୍ତି । ତେବେ ଜରିମାନା ଅନାଦେୟ ହେଲେ ଅଧିକ ୧ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି ।
ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବଇନିସ୍ପେକ୍ଟର ହୃଷିକେଶ ପଶ୍ଚିମକବାଟ । ଖୁଣ୍ଟା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତମାନଙ୍କ ସପକ୍ଷରେ ଯିବାକୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ବାବୁ । ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜିବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପାଇଁ ଏସଆଇ ହୃଷିକେଶ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ତେବେ ୫ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ଶୀଘ୍ର ଦେବାକୁ କହିଥିଲେ । ଏହାକୁ ନେଇ ସଞ୍ଜୀବଙ୍କ ଭାଇ ବିବେକାନନ୍ଦ ପୁଥାଳ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ମୁତାବକ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା । ପୂର୍ବ ଯୋଜନା ମୁତାବକ ୨୦୧୫ ଅପ୍ରେଲ ୧୩ତାରିଖରେ ଆଉ ୭ ହଜାର ଟଙ୍କା ଲାଞ୍ଚ ଥାନା ପରିସରରେ ନେଉଥିବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ତାଙ୍କଠାରୁ ୭ ହଜାର ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲା । ଏହାକୁ ନେଇ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।