ଓଡିଶା

odisha

6ବର୍ଷର ନାବାଳକକୁ ଦଂଶିଲା ସାପ, ଚାଲିଗଲା ନିରୀହ ଜୀବନ

By

Published : Aug 19, 2023, 10:30 PM IST

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମରେ ସାପ ଦଂଶନରେ ଚାଲିଗଲା କାବାଳକର ଜୀବନ । ଅଧିକ ପଢ଼ନ୍ତୁ

ନାବାଳକକୁ ଦଂଶିଲା ସାପ
ନାବାଳକକୁ ଦଂଶିଲା ସାପ

ରାଇରଙ୍ଗପୁର: ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୁଣି ସାପ କାମୁଡାରେ ଚାଲିଗଲା ନିରୀହ ଜୀବନ । ସାପ କାମୁଡାରେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ । ରାତିରେ ଶୋଇଥିବା ବେଳେ ନାବାଳକଙ୍କୁ ଏକ ଚିତି ସାପ ଦଂଶନ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମରେ ଗତକାଲି ପ୍ରଦୀପ ହେମ୍ବ୍ରମଙ୍କ ଘର ଲୋକେ ଖାଇ ପିଇ ସମସ୍ତେ ନିଜ ଘରେ ଶୋଇଥିଲେ। ପ୍ରଦୀପଙ୍କ ବଡ଼ପୁଅ ଓ ସାନପୁଅ ଦୁହେଁ ମଧ୍ୟ ଖାଇ ପିଇ ଘର ଭିତର ଚଟାଣରେ ବିଛଣା ପକାଇ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ପ୍ରଦୀପଙ୍କ 6 ବର୍ଷର ସାନ ପୁଅ ମୁକେଶ ହେମ୍ବ୍ରମଙ୍କ ହାତକୁ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା। ଏହାପରେ ମୁକେଶର ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ମୁକେଶର ହାତରୁ ରକ୍ତ ଝରୁଥିବା ବେଳେ ଘର ଭିତରେ ଚିତି ସାପ ଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ।

ଏହା ମଧ୍ୟ ପଢ଼ନ୍ତୁ.....ସାପ ଧରାଳିଙ୍କ ପାଇଁ ଗାଇଡଲାଇନ, ମିଳିବ ସୁରକ୍ଷା ଟୁଲ୍ କିଟ୍

ଏହାପରେ ପରିବାର ଲୋକ ଡେରି ନକରି ତୁରନ୍ତ ମୁକେଶକୁ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲି ଯାଇଥିଲା। ପରେ ଘଟଣା ସମ୍ପର୍କରେ ବାଦାମପାହାଡ ଥାନା ପୋଲିସକୁ ଖବର ଦିଆଯିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ତେବେ ଆଜି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ତେବେ ଏହା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ମାନବୀର ଗ୍ରାମର ରାମଚନ୍ଦ୍ର ଦେଓଗାମଙ୍କ 14 ବର୍ଷର ପୁଅର ଜଗନ୍ନାଥ ରାତିରେ ଖାଇ ପିଇ ଶୋଇଥିଲେ। ହେଲେ ଭୋର ସକାଳୁ ଜଗନ୍ନାଥଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି଼ ଯାଇଥିଲା। ତେବେ ଘର ଲୋକେ ଘର ଭିତରେ ସାପ ଦେଖି ଜଗନ୍ନାଥଙ୍କୁ ସାପ କାମୁଡି ଦେଇଥିବାର ସନ୍ଦେହ କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଇତି ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡରେ ସର୍ପ ଦଂଶନରେ ପ୍ରାୟ ୧୨ରୁ ଅଧିକ ଜୀବନ ଦ୍ବୀପ ଲିଭି ଯାଇଥିବାର ସୂଚନା ରହିଛି।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details