ଓଡିଶା

odisha

ଜାରି ରହିଛି ଅମଲା ସଂଘର ଆନ୍ଦୋଳନ, ଅଷ୍ଟମ ଦିନରେ CMRFକୁ ସହାୟତା ରାଶି ପ୍ରଦାନ

By

Published : Jun 9, 2023, 3:44 PM IST

ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ହାତ ବଡାଇଲା ଅମଲା ସଂଘ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ୬୮ ହଜାର ଟଙ୍କା । ଅଧିକ ପଢନ୍ତୁ

bureaucrats association donated money to cmrf fund
bureaucrats association donated money to cmrf fund

CMRFକୁ ସହାୟତା ରାଶି ପ୍ରଦାନ

ମାଲକାନଗିରି: ଗୋଟିଏ ପଟେ ମାଲକାନଗିରିରେ ଆନ୍ଦୋଳନ ଜାରି ରଖିଛି ଅମଲା ସଂଘ, ଅନ୍ୟପଟେ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟର ହାତ ମଧ୍ୟ ବଢାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୬୮ ହଜାର ଟଙ୍କା ପ୍ରଦାନ କରିଛନ୍ତି ମିଳିତ ଅମଲା ସଂଘର ସଦସ୍ଯ । ଆନ୍ଦୋଳନର ଅଷ୍ଟମ ଦିନରେ ସହାୟତା ରାଶି ପ୍ରଦାନ କରିବା ସହ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରକୁ ଝାଡୁମାରି ସଫେଇ କାର୍ଯ୍ୟ କରିଥିଲେ ସଂଘର ସଦସ୍ୟ । ଏହା ପୂର୍ବରୁ ମଙ୍ଗଳବାର ଦିନ ରକ୍ତଦାନ ଶିବିର କରାଯାଇଥିଲା । ତେବେ ଧୀରେଧୀରେ ବିଭିନ୍ନ ମହଲରୁ ଆନ୍ଦୋଳନକୁ ସମର୍ଥନ ମିଳିବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ-ଅମଲାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ବିଜେପି ସାଂସଦ ଜୁଏଲ ଓରାମ

ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଡାକରାରେ ଗତ ୧ ତାରିଖରୁ ସମୂହ ଛୁଟି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି ଅମଲାମାନେ । ବର୍ତ୍ତମାନ ଜିଲ୍ଲା ଓକିଲ ସଂଘ ଅମଲାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଜିଲ୍ଲା ଓକିଲ ସଂଘର ସଭାପତି ଲମ୍ବୋଧର ତୁରୁକୁ, ସମ୍ପାଦକ ନୃସିଂହ ଚରଣ ମହାନ୍ତି, ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଓକିଲ ସଂଘର ସଦସ୍ୟ ଅମଲାଙ୍କ ନିକଟକୁ ଯାଇ ସେମାନଙ୍କ ଦାବି ପ୍ରତି ସରକାର ଦୃଷ୍ଟି ଦେବାକୁ ମତ ରଖିଥିଲେ। ସେହିପରି ଉତ୍କଳ ସାମ୍ବାଦିକ ସଂଘ ମଧ୍ଯ ଅମଲାଙ୍କ ଏହି ଅନଶନକୁ ସମର୍ଥନ ଜଣାଇଛି । ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ଯୋଧନ ପାତ୍ର, ସମ୍ପାଦକ ଶ୍ରୀନିବାସ ପାତ୍ରଙ୍କ ସହ ସଂଘର ବହୁ ସାମ୍ବାଦିକ ଧାରଣା ସ୍ଥଳରେ ଯାଇ ଅମଳାଙ୍କ ସହ ବସିଥିଲେ ।

ରେଳ ଦୁର୍ଘଟଣାରେ ଆହତ ଲୋକଙ୍କ ପାଇଁ ଗତ ମଙ୍ଗଳବାର ଅମଲାମାନେ ରକ୍ତଦାନ କରିଥିଲେ । ମୋଟ ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ଗୁରୁବାର ଅମଲା ମାନଙ୍କ ହାତରେ କଲମ ବଦଳରେ ଝାଡ଼ୁ ଦେଖିବାକୁ ମିଳିଥିଲା । ସକାଳ ସମୟରେ ମିଳିତ ଅମଲା ସଂଘର ବହୁ ସଦସ୍ଯ ମାନେ ସ୍ବେଚ୍ଛାକୃତ ଭାବେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରକୁ ଝାଡୁଧରି ସଫେଇ କାର୍ଯ୍ୟ କରିଥିଲେ । ଯାହାଦ୍ବାରା ଅମଲା ସଂଘର ସଦସ୍ଯମାନଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଥିଲା । ସେହିପରି ରେଳ ଦୁର୍ଘଟଣାରେ ମୃତାହତ ହୋଇଥିବା ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୬୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ମିଳିତ ଅମଲା ସଂଘର ଆବାହକ ଶ୍ୟାମସୁନ୍ଦର ନାୟକ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details