ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ରାଜ୍ୟରେ ଜାରି ରହିଛି ତୁମ୍ବିତୋଫାନ । ୫ଟି ସଚିବଙ୍କ ଜିଲ୍ଲା ଗସ୍ତ ବେଆଇନ ଓ ସର୍ଭସ ରୂଲ ଉଲଂଘନ କରୁଛି ବୋଲି ରାଜନୈତିକ ଦଳ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଭିଯୋଗ କରୁଛନ୍ତି । ରାଜନୈତିକ ବୟାନବାଜି ଭିତରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଲୋକଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜି ବରଗଡ ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବରଗଡ଼ର ଏକ ସଭାରେ ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଶୁଣାଇଛନ୍ତି । ତାଙ୍କ ମୋବାଇଲରେ ଥିବା ନବୀନଙ୍କ ଭଏସ (ପ୍ରତିକ୍ରିୟା) ଶୁଣାଇଛନ୍ତି ୫ଟି ସଚିବ । ଏହି ଭଏସ ଓଡ଼ିଓ କିମ୍ବା ଭିଡିଓ ଜଣାପଡିନାହିଁ । ତେବେ ଉକ୍ତ ଭଏସରେ ଶୁଣିବାକୁ ମିଳୁଛି ଯେ, ଆପଣ ମାନେ ଭଲ କାମ କରନ୍ତୁ । ମୁଁ ଆପଣଙ୍କୁ ସାହାଯ୍ୟ କରିବି । ଆପଣଙ୍କ ସୁଖ ଦୁଃଖ ବୁଝିବା ପାଇଁ ମୁଁ ମୋ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି । ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛି । ମୁଁ ଆପଣଙ୍କ ସମସ୍ତ ସମସ୍ୟା ଦୂର କରିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ।