ଭୁବନେଶ୍ବର: ପୁଣି ଫେରିଛି ମହାମାରୀ । ଦିନକୁ ଦିନ ସଂକ୍ରମଣ ମାମଲା ବଢିବାରେ ଲାଗିଛ । କୋଭିଡ ମୁକାବିଲା ନେଇ ବିଏମସିର ପ୍ରସ୍ତୁତି ବୈଠକ ବସିଛି । ଆଜିଠାରୁ ସବୁ ହସ୍ପିଟାଲରେ ମକଡ୍ରିଲ୍ ହେବ । ଜୁନ୍ ମାସ ବେଳକୁ ରାଜ୍ୟ ସମେତ ଭୁବନେଶ୍ବର ମହାନଗର ନିଗମ(ବିଏମସି) ଅଞ୍ଚଳରେ କୋଭିଡ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି । ସେଥିଲାଗି ପ୍ରସ୍ତୁତ ରହିବାକୁ ରାଜଧାନୀ ଭୁବନେଶ୍ବରର ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ବର୍ଷଗୁଡିକ ଭଳି ଆଗାମୀ ଦିନରେ କିପରି ସଫଳତାର ସହ କୋଭିଡ ମୁକାବିଲା କରିହେବ ସେନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ପ୍ରତିହତ ପ୍ରତି ଆଗୁଆ ପଦକ୍ଷେପ ସଦୃଶ ବିଏମସି ଏହି ପଦକ୍ଷେପ ନେଇଛି ।
କୋଭିଡ ମୁକାବିଲା ନେଇ ସୋମବାର ସନ୍ଧ୍ୟାରେ ବିଏମସି ଏକାମ୍ର ହଲରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । କମିଶନର କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ, ଏମ୍ସର ସୁପରିଟେଣ୍ଡେଣ୍ଟଙ୍କ ସମେତ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ପିଏଚସି, ସିଏଚସିର ମେଡିକାଲ ଅଫିସର, ଅଧିକାଂଶ ଘରୋଇ ଡାକ୍ତରଖାନାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆଜିଠାରୁ ସମସ୍ତେ ପ୍ରସ୍ତୁତିର ମକ୍ଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଟେଷ୍ଟିଂ ବୃଦ୍ଧି କରିବା ସହ କୋଭିଡ ସଂକ୍ରମିତ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଓ୍ବାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପିଏଚସିରେ ଅତିକମରେ ୫ଟି ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା କରିବା ସହ ଅକ୍ସିଜେନ ମହଜୁଦ୍ ଥିବା ଗୋଟିଏ ସ୍ବତନ୍ତ୍ର ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସିଏଚସିରେ ଅତିକମରେ ୧୦ଟି ଆଇସୋଲେସନ ବେଡ୍ ସହ ଅକ୍ସିଜେନ ପ୍ରସ୍ତୁତ ରଖିବେ । କ୍ୟାପିଟାଲ ହସପିଟାଲରେ ଅଧିକ ଆଇସିୟୁ ଓ ବେଡ୍ ପ୍ରସ୍ତୁତ ରଖାଯିବ । ଏପରିକି ବିଏମସି ହସପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।