ଓଡିଶା

odisha

ବିନା ଷ୍ଟାଣ୍ଡିଂ କମିଟିରେ ବସିଲା BMC କର୍ପୋରେସନ ବୈଠକ

By

Published : Jun 1, 2023, 9:19 AM IST

Updated : Jun 1, 2023, 2:29 PM IST

ପ୍ରଥମ ଥର ବିନା ଷ୍ଟାଣ୍ଡିଂ କମିଟିରେ ବସିଲା ବିଏମସି କର୍ପୋରେସନ ବୈଠକ । ବର୍ଷା ପୂର୍ବରୁ ହେବ ଜଳବନ୍ଦୀ ସମସ୍ୟାର ସମାଧାନର ନିଷ୍ପତ୍ତି । ଅଧିକ ପଢନ୍ତୁ

BMC କର୍ପୋରେସନ ବୈଠକ ଅନୁଷ୍ଠିତ
BMC କର୍ପୋରେସନ ବୈଠକ ଅନୁଷ୍ଠିତ

BMC କର୍ପୋରେସନ ବୈଠକ


ଭୁବନେଶ୍ବର:ଶେଷ ହୋଇଛି ବିଏମ୍‌ସିର ମାସିକ କର୍ପୋରେସନ ବୈଠକ । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ମୁଖ୍ୟ କାର୍ଯ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ମାସିକ କର୍ପୋରେସନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ ବିନା ଷ୍ଟାଣ୍ଡିଂ କମିଟିରେ ଏହି ବୈଠକ ବସିଛି । ଏଥିରେ ପରିମଳ ବା ସ୍ବଚ୍ଛତା, ଡ୍ରେନେଜ, ଅଲୋକୀକରଣ ନେଇ ବିସ୍ତୃତ ଆଲୋଚନା ହୋଇଛି । ଅନ୍ୟପଟେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ପରେ ପୁନଃ ନିର୍ବାଚନ ନହୋଇ ବିଏମସି କର୍ପୋରେସନ ବୈଠକ ପ୍ରସଙ୍ଗକୁ ମେୟର ଏଡାଇ ଯାଇଛନ୍ତି । ବୈଠକରେ ମୁଖ୍ୟତଃ ମୌସୁମୀ ବର୍ଷା ଆସିବା ପୂର୍ବରୁ ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନଗୁଡିକୁ ପରିଷ୍କାର କରିବା, ଜଳବନ୍ଦୀ ଅଞ୍ଚଳରେ ପମ୍ପ ଯୋଗେ ଜଳ ନିଷ୍କାସନ କରିବା, ବର୍ଷା ଜନିତ ସମସ୍ୟା ଯଥା ପରିମଳ, ଡେଙ୍ଗୁ ମୁକାବିଲା ଆଦି ସମ୍ପର୍କରେ ଆଲୋଚନା ହୋଇଛି ।

ମୌସୁମୀ ଆସିବା ପୂର୍ବରୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯାହା ଯାହା ପଦକ୍ଷେପ ନେବା ଦରକାର ତାହା ଆଲୋଚନା ହୋଇଛି ବୋଲି ମେୟର କହିଛନ୍ତି । ବିଶେଷ ଭାବେ ବର୍ଷା ଆସିବା ପୂର୍ବରୁ ଡ୍ରେନ ଗୁଡିକରୁ ପଙ୍କୋଦ୍ଧାର କରାଯିବ । ସୂଚନା ଅନୁସାରେ, ଗତବର୍ଷ ଚିହ୍ନଟ ହୋଇଥିବା ୭୫ଟି ସମ୍ବେଦନଶୀଳ ସ୍ଥାନ ବା ଜଳମଗ୍ନ ସ୍ଥାନରେ ପଦକ୍ଷେପ ନିଆଯାଇଛି । ଆବଶ୍ୟକ ସ୍ଥଳେ ମୋଟର ପମ୍ପ ଜରିଆରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାସହ ଦାରୁଠେଙ୍ଗ ଠାରେ ଥିବା ଡମ୍ପିଂୟାର୍ଡ ବନ୍ଦ କରାଯାଇଥିବା ବେଳେ ସେଠାରେ ଉଇଣ୍ଡ୍ରୋଜ ପଦ୍ଧତିରେ ଅଳିଆକୁ ପୃଥକୀକରଣ କରାଯିବ କହିଛନ୍ତି ମେୟର । ଏଥିରେ ସ୍ବଚ୍ଛ ସାଥି ସହଯୋଗ କଥା କୁହାଯାଇଛି । ତେଣୁ ଏଥିପାଇଁ ଗୋଷ୍ଠୀଭିତ୍ତିକ ବର୍ଜ୍ୟ ପରିଚାଳନାକୁ ଦୃଢୀଭୂତ କରିବା ପାଇଁ ପୃଥକୀକରଣ ଏବଂ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ପ୍ରତି ୱାର୍ଡରେ ୧୦ ଜଣ ସ୍ବଚ୍ଛ ସାଥୀ ରହିବେ ବୋଲି ନିଷ୍ପତି ନିଆଯାଇଛି ।

ତୃଣମୂଳସ୍ତରରେ ବର୍ଜ୍ୟ ପରିଚାଳନା ଦାୟିତ୍ୱ ନେଇଥିବା ସ୍ୱଚ୍ଛସାଥୀମାନେ ସାଧାରଣତଃ ସ୍ୱୟଂ ସହାୟକ ଗୋଷ୍ଠୀରୁ ଚୟନ ହୋଇଥାନ୍ତି । ବର୍ତ୍ତମାନ ପ୍ରତି ୱାର୍ଡରେ ୪ ଜଣ ଲେଖାଏଁ ସ୍ୱଚ୍ଛ ସାଥୀ ରହିଥିବା ବେଳେ ଆଉ ୬ ଜଣଙ୍କୁ ମିଶାଇ ସମୁଦାୟ ୧୦ ଜଣ ସ୍ବଚ୍ଛସାଥୀ ରହିବେ । ଭୁବନେଶ୍ବରରେ ବର୍ଜ୍ୟ ପୃଥକୀକରଣ, ପରିମଳ ପାଇଁ ଗୋଷ୍ଠୀ ଅଂଶ ଗ୍ରହଣ ଆଗେଇ ଚାଲିଥିବା ବେଳେ ଏହାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଗୋଷ୍ଠୀସ୍ତରରେ କର୍ମୀଙ୍କ ଉପଯୋଗ ଏଥିରେ ସହାୟକ ହେବ । ଏତଦ ବ୍ୟତିତ ପରିମଳ ଜନିତ ଅଭିଯୋଗ ସମାଧାନ ନିମନ୍ତେ କରାଯାଇଥିବା କଂଟ୍ରୋଲ ରୁମ୍‌ରେ ୮ ଜଣ ଏସ୍‌ଏମ୍‌ଟିଏଙ୍କୁ ନିଯୁକ୍ତି ଦିଆଯାଇଛି । ବର୍ଷା ଦିନ ଆସୁଥିବାରୁ ଡେଙ୍ଗୁ ପାଇଁ ସତର୍କ ରହିବା ଏବଂ ଜନ ସଚେତନତା ସୃଷ୍ଟି କରିବା ସହ ବହୁ ଦିନରୁ ଦାବି ହୋଇଆସୁଥିବା ୩୮ ନମ୍ବର ୱାର୍ଡରେ ଜି+୧ ଗଣେଶ ମାର୍କେଟ ନିର୍ମାଣ ହେବା କଥା ବୈଠକରେ ଆଲୋଚନା ହୋଇଛି ।


ସେହିପରି ବିଏମ୍‌ସି ଅଞ୍ଚଳରେ ଥିବା ଜଳାଶୟଗୁଡିକର ଉନ୍ନତି ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ । ତେଣୁ ଜଳାଶୟଗୁଡିର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ । ଏହି କ୍ରମରେ ଲକ୍ଷ୍‌ମୀ ସାଗର, ସୁନ୍ଦରପଦା ଆଦି ଅଞ୍ଚଳରେ ଥିବା ପୋଖରୀଗୁଡିକର ପୁନଃଉଦ୍ଧାର କାମ ଚାଲିଛି । କଂଜରଭେନ୍ସି ଲେନ୍‌ଗୁଡିକରେ ପେଭର ବ୍ଲକ ରାସ୍ତା ନିର୍ମାଣ କରିବା, ବିଭିନ୍ନ ସ୍ଥାନରେ ପବ୍ଲିକ ଟଏଲେଟ୍ ନିର୍ମାଣ କରିବା, ଯେତେ ଟେଣ୍ଡର ହେଉଛି, ସେ ସବୁ କାମ ୬ ମାସ ମଧ୍ୟରେ ସାରିବା ପାଇଁ ଚୁକ୍ତି କରାଯିବ କଥା ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିପରି ବିନା ରସିଦରେ କୌଣସି ଜୋରିମାନା ଆଦାୟ ହୋଇପାରିବ ନାହିଁ ଓ ପ୍ରତ୍ୟେକ ହୋଲ୍ଡିଂରୁ ଟାକ୍ସ ଆଦାୟ ପାଇଁ ଆଲୋଚନା ହୋଇଛି । ବିଏମ୍‌ସିର ରାଜସ୍ୱ ବଢାଇବା ପାଇଁ କେତୋଟି ଚିହ୍ନିତ ସ୍ଥାନରେ ହୋଡିଂ ଲଗାଇବା ପାଇଁ ପ୍ରସ୍ତାବ ଏବଂ କ୍ଷେତ୍ର ପରିଦର୍ଶନ ପରେ ନିଷ୍ପତ୍ତି ହୋଇଛି । ବିଦ୍ୟୁତ୍ ଆଲୋକ କାମ ଚାଲିଛି ଖୁବଶୀଘ୍ର ବିପଦସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟଗୁଡିକୁ ହଟାଇ ଦିଆଯିବ ବୋଲି ଆଲୋଚନା ହୋଇଛି । ବିଦ୍ୟୁତ୍ କାମ ପାଇଁ ପ୍ରତି ଜୋନ୍‌କୁ ୨.୫ କୋଟି ଟଙ୍କା ଲେଖାଏଁ ବ୍ୟୟ ବରାଦ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ବୈଠକରେ ମେୟର କମିଶନର ସମେତ ସମସ୍ତ କର୍ପୋରେଟର, ଅତିରିକ୍ତ କମିଶନର, ଅତିରିକ୍ତ କମିଶନର, ସିଟି ଇଞ୍ଜିନିୟର , ସଂଯୁକ୍ତ ବିଭାଗୀୟ ଅଧିକାରୀ/ପ୍ରତିନିଧି ଏବଂ ବିଏମ୍‌ସିର ଉପବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅନ୍ୟପଟେ ଆଗକୁ ବର୍ଷାଦିନ ଆସୁଥିବା ବେଳେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା ଭୋଗୁଥିବା ସମ୍ବେଦନଶୀଳ ସ୍ଥାନଗୁଡିକର କାର୍ଯ୍ୟ କାହିଁକି ତ୍ଵରାନିତ୍ଵ ହେଉନି ବୋଲି ପଚାରିବାରୁ ମେୟର ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଉପରେ ଦୋଷ ଲଦିଦେଇଛନ୍ତି । ସେ କହିଛନ୍ତି ଯେ, ଜଳବନ୍ଦୀ ସମସ୍ୟାର କାର୍ଯ୍ୟ ଜଲଦି ଶେଷ ହେବ ଯାହାକୁ କିଛି କର୍ପୋରେରର କାଉଣ୍ଟର କରିଛନ୍ତି । ଏନେଇ ୭ ନମ୍ବର ୱାର୍ଡ କର୍ପୋରେଟର କହିଛନ୍ତି ଆମେ କର୍ପୋରେଟର ହେଲା ଦିନଠୁ ଆଉ ପୂର୍ବରୁ ମଧ୍ୟ ଜଳବନ୍ଦୀ ସମସ୍ୟା ଭୁବନେଶ୍ୱରରୁ ଦୂର ହେବ ବୋଲି ଶୁଣୁଛୁ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଦେଖିଲୁ ନାହିଁ । ତେଣୁ ଆଶା ଅଛି ଏଥର ହେଇଯିବ ବୋଲି, ନହେଲେ ପୁଣି ବିଏମସି ଓ ଏନଏଚଏଆଇ ନିଜ ନିଜର ଦୋଷ ଲଦାଲଦି ହେଉଥିବେ ପଛେ କିନ୍ତୁ ଭୁବନେଶ୍ୱର ବାସିନ୍ଦା ସେମିତି ଜଳବନ୍ଦୀ ସମସ୍ୟାରେ ରହୁଥୁବେ ବୋଲି କହିଛନ୍ତି ।

ତେବେ ବିନା ଷ୍ଟାଣ୍ଡିଂ କମିଟିରେ ପ୍ରଥମ ଥର ବିଏମସି ତାର କର୍ପୋରେସନ୍ ବୈଠକ କରିଛି ଓ ନିର୍ବାଚନର ତାରିଖ ଘୁଞ୍ଚାଇ ଚାଲିଛି । ମୁଖ୍ୟ କଥା ହେଲା ଷ୍ଟାଣ୍ଡିଂ କମିଟିର କାର୍ଯ୍ୟକାଳ ସରିବା ପରେ ଦୁଇ ଥର ନିର୍ବାଚନ କରାଯିବା ନେଇ ବିଏମସି ବିଜ୍ଞପ୍ତି ଜାରି କରିଛି ବିଏମସି । କିନ୍ତୁ ବିଭିନ୍ନ କାରଣବଶତଃ ଏହାକୁ ଏବେ ଅନିର୍ଦ୍ଧଷ୍ଟ କାଳ ଯାଏ ଘୁଞ୍ଚାଇ ଦିଆଯାଇଛି । ଏନେଇ ବୁଧବାର କର୍ପୋରେସନ ବୈଠକରେ ଆଲୋଚନା ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ସୁଦ୍ଧା ଷ୍ଟାଣ୍ଡିଂ କମିଟି ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ଜଣାପଡ଼ିଛି ।

ପ୍ରଥମେ ମେ' ୨୪ ତାରିଖରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ କରାଯିବ ବୋଲି ଘୋଷଣା କରାଯାଇଥିଲା । ସେଇଟା ବାତିଲ ହୋଇ ୨୫ ତାରିଖରେ ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନ କରାଯିବ ବୋଲି ଘୋଷଣା କରାଗଲା । ପରେ ନିର୍ବାଚନ ଲାଗି ସମସ୍ତ ସଦସ୍ୟ ଉପସ୍ଥିତ ନଥିବା କାରଣ ଦର୍ଶାଇ ନିର୍ବାଚନ ଘୁଞ୍ଚାଯାଇ ୩୦ ତାରିଖ ଦିନ କରାଯିବ ବୋଲି କୁହାଯାଇଥିଲା । ପୁଣି ୩୦ ତାରିଖ ଦିନ ସ୍ଥାନୀୟ ବିଧାୟକ ଉପସ୍ଥିତ ନଥିବା ଦର୍ଶାଇ ନିର୍ବାଚନକୁ ଘୁଞ୍ଚାଯାଇଛି । ତେବେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟ ବାଛିବାରେ କଳହ ଲାଗି ରହିଥିବାରୁ ନିର୍ବାଚନ ହୋଇପାରୁନଥିବା କହିଛନ୍ତି ବିରୋଧୀ କର୍ପୋରେଟର । କିଛି ସଦସ୍ୟ ନିର୍ଦ୍ଦିଷ୍ଟ ଜନପ୍ରତିନିଧିଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଛନ୍ତି । ନୂଆ କରି ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ନିର୍ବାଚନରେ କିଛି କମିଟିରେ ନୂଆ ଚେହେରା ଆଣିବାକୁ ପ୍ରସ୍ତାବ ଆସିଛି । ଯାହାଫଳରେ ଆପୋଷ କଳହ ଲାଗି ରହିଛି । ଏହାକୁ ନେଇ ନିର୍ବାଚନ ତାରିଖ ଘୁଞ୍ଚିଚାଲିଥିବା କିଛି ଅସନ୍ତୁଷ୍ଟ କର୍ପୋରେଟର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 1, 2023, 2:29 PM IST

ABOUT THE AUTHOR

...view details