ଭୁବନେଶ୍ବର: କାଲି ଭୃଗୁ ବକ୍ସିପାତ୍ରଙ୍କ ପରେ ଆଜି ପୁଣି ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ କଡା ସମାଲୋଚନା କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ବିଜେଡିର ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛି ବିଜେପି । ଅସହିଷ୍ଣୁ ହୋଇ ବିଜେଡ଼ି ନେତାମାନେ ମତ ରଖିଛନ୍ତି, ଯାହାକି ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ପ୍ରେସମିଟରେ ବିଜେପି ବିଧାୟକମାନେ କହିଛନ୍ତି ।
ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିବା ବେଳେ ଆନ୍ଧ୍ର କର୍ମଚାରୀଙ୍କୁ ତଡ଼ିଥିଲେ । ଏହାସହିତ 'ଆନ୍ଧ୍ର ଗୋ ବ୍ୟାକ୍' ନାରା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଗସ୍ତ କରିଥିବା ନେଇ ବିଜେଡି ଅଭିଯୋଗ ଆଣିଥିଲା । ଏହାପରେ ଗତକାଲି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ପ୍ରେସମିଟରେ ବିଜେପିକୁ କଡା ସମାଲୋଚା କରିଥିଲେ । ଆଜି ପୁଣି ବିଜେପି ବିଧାୟକମାନେ ବିଜେଡିକୁ କଡ଼ା ଜବାବ ଦେଇଛନ୍ତି । ଫାଟୁସିନେରୀ ସ୍କୁଲର ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିବା, ବରପୁତ୍ରଙ୍କ ସ୍ମୃତି ଚାରଣ କରିବା ଯଦି ଅପରାଧ , ତେବେ ଆମେ କହିବୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଏହି ଅପରାଧ କରନ୍ତୁ ବୋଲି କହିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, "ଆନ୍ଧ୍ରର ଅଫିସରମାନେ କହିଲେ, ୨୧ଟି ଗାଁ ଆନ୍ଧ୍ର ପ୍ରଦେଶର ବୋଲି । ଏହା ଶୁଣି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କୋଟିଆ ଅଞ୍ଚଳ ଓଡ଼ିଶାର । ତା'ପରେ କେନ୍ଦ୍ରମନ୍ତ୍ରୀ ଗୋ ବ୍ୟାକ୍ ନାରା ଦେଇଥିଲେ। ୧୯୫୬ ମସିହା ପରେ ସୀମା ବିବାଦ ସମାଧାନ ହୋଇନାହିଁ । କୋଟିଆବାସୀ ଆନ୍ଧ୍ର ମୁହାଁ ହେବାର ୩ ପ୍ରମୁଖ କାରଣ, ଆନ୍ଧ୍ର ସରକାର ୨୫୦୦ ଟଙ୍କା ଭତ୍ତା ଦେଉଥିବାବେଳେ ଓଡ଼ିଶା ସରକାର ୫୦୦ଟଙ୍କା ଦେଉଛି । ସେହିପରି ୧୫୦ କୋଟି ଟଙ୍କାର ପ୍ରକଳ୍ପ ସେମିତି କିଛି କାମ ହୋଇନାହିଁ ।"
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକ ପାଉନାହାନ୍ତି, ବିଜୁଳି ଏବଂ ରାସ୍ତା ଆନ୍ଧ୍ର ଦେଉଛି । ଓଡ଼ିଶା ସରକାର କୋଟିଆକୁ ଅବହେଳା କରୁଛନ୍ତି । ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ କହିଲେ, କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ନେବୁ । କିନ୍ତୁ ବିଜେଡ଼ି ନେତାମାନେ ଦଳ ମତ ନିର୍ବିଶେଷରେ ଏକାଠି ହେବା ପରିବର୍ତ୍ତେ ଏଭଳି ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ସମର୍ଥନ ନକରି ତାଙ୍କ ଗସ୍ତକୁ ବିଜେଡି ଯେମିତି ଯେଉଁ ମନ୍ତବ୍ୟ ଦେଉଛି ତାହା କୁମ୍ଭୀର କାନ୍ଦଣା ଭଳି ଏହା କେତେ ଦୁଃଖ ମାନସିକତା ତାହା ସ୍ପଷ୍ଟ ଅନୁମେୟ କରିହେଉଛି ବୋଲି ମହାଲିଙ୍ଗ କହିଛନ୍ତି ।