ଓଡିଶା

odisha

ବିଜେପିକୁ ବିଜେଡିର ପ୍ରଶ୍ନ, ଗୋବିନ୍ଦର ଆତ୍ମହତ୍ୟାକୁ ନେଇ ବିରୋଧୀ ଲୁହ ଗଡ଼ାଉଛନ୍ତି କାହିଁକି ?

By

Published : Dec 21, 2022, 10:51 PM IST

ମମିତା ମେହେର ହତ୍ୟାକାଣ୍ଡ ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ବିଜେପି ହୀନ ରାଜନୀତି କରୁଥିବା ଅଭିଯୋଗ କଲା ବିଜେଡି । ଏନେଇ ବିଜେପିକୁ କେତେକ ପ୍ରଶ୍ନ ପଚାରିବା ସହ ନ୍ୟାୟପାଳିକା ଉପରେ ଆସ୍ଥା ରଖିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢ଼ନ୍ତୁ

ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ବିଜେଡି ମୁଖପାତ୍ର ଲେନିନ ମହାନ୍ତି

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ହଇଚଇ ହୋଇଥିଲା ରାଜ୍ୟ ରାଜନୀତି । ସେତେବେଳେ ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହି ମାମଲାରେ ଘେରିଥିଲେ ବିରୋଧୀ । ତେବେ ବର୍ତ୍ତମାନ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପରେ ଏହି ମାମଲାରେ ପୁଣିଥରେ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେପି ନେତାମାନେ ଶସ୍ତା ରାଜନୀତି ନକରି ନ୍ୟାୟପାଳିକା ଉପରେ ଆସ୍ଥା ରଖନ୍ତୁ ବୋଲି ସେ କହିଛନ୍ତି ।

ଲେନିନ କହିଛନ୍ତି, "ମମିତା ମେହେର ହତ୍ୟାକାଣ୍ଡର ଗୁରୁତ୍ବକୁ ଉପଲବ୍ଧି କରି ଜଣେ କାର୍ଯ୍ୟରତ ବିଚାରପତିଙ୍କ ତଦାରଖରେ ଏହି ମାମଲାର ତଦନ୍ତ ଲାଗି ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ତଦାରଖରେ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜଜ୍‌ଙ୍କ ତଦାରଖରେ ତଦନ୍ତ ହେବାପରେ ପୋଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ଅଦାଲତରେ ମଧ୍ୟ ତ୍ବରିତ ବେଗରେ ମାମଲାର ଶୁଣାଣି ଜାରି ରହିଥିଲା । ଏହି ମାମଲାରେ ବିଜେପି ରାଜନୀତି କରିବା ସହ ମୃତ ମମିତାଙ୍କ ଚରିତ୍ର ସଂହାର କରିବାରୁ ତାଙ୍କ ପରିବାରବର୍ଗ ଗଭୀର ମାନସିକ ଆଘାତ ପାଇଥିଲେ । ତେଣୁ ସେମାନେ ଏହାକୁ ନେଇ ରାଜନୀତି ନକରିବାକୁ ହାତ ଯୋଡ଼ି ନିବେଦନ କରିଥିଲେ । ମାତ୍ର ଏହାସତ୍ତ୍ଵେ ବିଜେପି ନେତାମାନେ ତାଙ୍କ କୋହପୂର୍ଣ୍ଣ ଆବେଦନକୁ ଗ୍ରହଣ ନକରି ଏହି ଘଟଣାକୁ ନେଇ ରାଜନୀତି କରିଥିଲେ । ତେଣୁ ମମିତାଙ୍କ ପରିବାର ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହା ଉପରେ ରୋକ ଲଗାଇବାକୁ ନିବେଦନ କଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ଏତେ ପରେ ବି ବିଜେପି ନେତାମାନେ ଏହାକୁ ନେଇ ହୀନ ରାଜନୀତି କରିଥିଲେ ।"

ବିଶେଷକରି ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ବିଜେପି ପୁଣିଥରେ ରାଜନୀତିର ରୁଟି ସେକିବା ଆରମ୍ଭ କରି ଦେଇଛି ବୋଲି ବିଜେଡି ଅଭିଯୋଗ କରିଛି । ତେଣୁ ମମିତାଙ୍କ ପରିବାର ଗଣମାଧ୍ୟମ ଆଗକୁ ଆସି ଏହାକୁ ନାପସନ୍ଦ କରିଛନ୍ତି । ଆଇନ ବ୍ୟବସ୍ଥା ଉପରେ ମଧ୍ୟ ସେମାନେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି । ଗୋବିନ୍ଦ ସାହୁ ଆତ୍ମହତ୍ୟା ପରେ ଭଗବାନ ଆମକୁ ନ୍ୟାୟ ଦେଇଛନ୍ତି ବୋଲି ସେମାନେ ଗଣମାଧ୍ୟମରେ କହିଛନ୍ତି । ତେବେ ବିଜୁ ଜନତା ଦଳ ପକ୍ଷରୁ ବିଜେପି ନେତାମାନଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, "ଗୋବିନ୍ଦ ସାହୁ ହତ୍ୟାକାରୀ ଥିଲା ନା ନାହିଁ ? ଗୋବିନ୍ଦ ସାହୁ ଜଣେ ନରରାକ୍ଷସ ନା ଭଦ୍ରଲୋକ ? ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ଏତେ ଲୁହ ଗଡ଼ାଉଛି କାହିଁକି ? ଓଡ଼ିଶାରେ ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଅଛି । ମାତ୍ର ଗୋଟିଏ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ରାଜନୀତି କରିବା କେତେଦୂର ଠିକ୍? ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି ?"

ସେ ଆହୁରି କହିଛନ୍ତି, "ଗତ ଦୁଇ ବର୍ଷ ମଧ୍ୟରେ ବିଜେପି ଶାସିତ ଉତ୍ତରପ୍ରଦେଶରେ ୯୫୨ ଜଣ ବିଚାରାଧୀନ କଏଦୀ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି । ଏହି କଏଦୀମାନଙ୍କୁ ହତ୍ୟା କରାଯାଇଥିଲା ନା ସେମାନଙ୍କୁ ନ୍ୟାୟ ମିଳିଲାନି ବୋଲି ସେମାନେ ଆତ୍ମହତ୍ୟା କଲେ ? ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟାର ପଥ ବାଛି ନେଉଥିବା କଏଦୀମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ି କୌଣସି ବିଚାରଶୀଳ ବ୍ୟକ୍ତି ଶସ୍ତା ରାଜନୀତି କରିବ ନାହିଁ । ମମିତାଙ୍କ ପରିବାର ତାଙ୍କର ଝିଅକୁ ହରାଇଛନ୍ତି । ସେଥିପାଇଁ ସେମାନେ ଗଭୀର ମାନସିକ ଯନ୍ତ୍ରଣା ଭୋଗ କରିଛନ୍ତି । ଏବେ ବିଜେପି ନେତାମାନେ ମମିତାଙ୍କ ହତ୍ୟାକାରୀକୁ ସମର୍ଥନ କରି ଆଉଥରେ ତାଙ୍କ ପରିବାର ଲୋକଙ୍କୁ ଅଧିକ ମାନସିକ ଯନ୍ତ୍ରଣା ଦେବାକୁ ଚାହୁଛନ୍ତି କି ?

ଲେନିନ କହିଛନ୍ତି, "ମମିତାଙ୍କ ଭଳି ଆମ ସମସ୍ତଙ୍କର ଝିଅ ବା ଭଉଣୀ ଅଛନ୍ତି । ଭଗବାନ ନକରନ୍ତୁ, କୌଣସି ଝିଅ ଏଭଳି ବର୍ବର ହତ୍ୟାର ଶିକାର ହେଉ । କିନ୍ତୁ ଯଦି ସେମାନଙ୍କ ଝିଅ ବା ଭଉଣୀ ସହ ଏଭଳି ଅଘଟଣ ଘଟିଥାନ୍ତା, ସେମାନେ କଣ ହତ୍ୟାକାରୀ ସପକ୍ଷରେ ଏମିତି ଯୁକ୍ତି କରିଥାନ୍ତେ? ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ଏଭଳି ହୀନ ରାଜନୀତି କରିଥାନ୍ତେ ? ତେଣୁ ଯେଉଁମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି, ସେମାନେ ନିଜ ବିବେକକୁ ପଚାରନ୍ତୁ । ମମିତାଙ୍କ ପରିବାର କଥା ଟିକେ ଚିନ୍ତା କରନ୍ତୁ । ନ୍ୟାୟ ଦେବା ପାଇଁ ଭାରତରେ ତଥା ଆମ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଯଥେଷ୍ଟ ସୁଦୃଢ଼ ଓ ନିରପେକ୍ଷ ଅଛି ।" ତେଣୁ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ବିଜେପି ନେତାମାନେ ଅଯଥା ରାଜନୀତି ନକରି ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ରଖନ୍ତୁ ବୋଲି ଲେନିନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details