ଓଡିଶା

odisha

କେନ୍ଦୁଝର ବଳଦେବଜୀଉଙ୍କ ରଥଯାତ୍ରା: ଏଥର ରଥ ଟାଣିବା ପାଇଁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

By

Published : May 28, 2023, 10:29 AM IST

କେନ୍ଦୁଝର ପ୍ରସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାରେ ଏଥର ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ପୂର୍ବରୁ ଏନେଇ ମହିଳାମାନେ ଦାବି କରିଆସୁଥିଲେ। ମହିଳାଙ୍କୁ ରଥ ଟାଣିବା ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ମିଳିଛି ଗ୍ରୀନ ସିଗନାଲ। ଅଧିକ ପଢନ୍ତୁ

ରଥ ଟାଣିବା ପାଇଁ ମହିଳାଙ୍କୁ ଦିଆଯିବ ସ୍ବତନ୍ତ୍ର ସ୍ଥାନ
ରଥ ଟାଣିବା ପାଇଁ ମହିଳାଙ୍କୁ ଦିଆଯିବ ସ୍ବତନ୍ତ୍ର ସ୍ଥାନ

ରଥ ଟାଣିବା ପାଇଁ ମହିଳାଙ୍କୁ ଦିଆଯିବ ସ୍ବତନ୍ତ୍ର ସ୍ଥାନ

କେନ୍ଦୁଝର: ବଳଦେବଜୀଉଙ୍କ ରଥଯାତ୍ରାରେ ଏଥର ମହିଳାମାନଙ୍କୁ ରଥ ଟାଣିବା ପାଇଁ ମିଳିବ ସ୍ବତନ୍ତ୍ର ସ୍ଥାନ । କେନ୍ଦୁଝର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଘୋଷ ଓ ବାହୁଡା ଯାତ୍ରାରେ ମହିଳାମାନଙ୍କୁ ସ୍ବତନ୍ତ୍ର ସ୍ଥାନ ଦିଆଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି । କିଛି ଦିନ ପୂର୍ବରୁ ମହିଳାଙ୍କ ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ଦେଇଥିଲେ ।

ଜିଲ୍ଲାର ଐତିହ୍ୟ ସଂସ୍କୃତି ପ୍ରତି ସମସ୍ତଙ୍କ ଭାବାବେଗ ଜଡିତ ରହିଛି । କେନ୍ଦୁଝରରେ ବଡଯାତ୍ରା ହେଉଛି ରଥଯାତ୍ରା । ଏହି ଅବସରରେ ପ୍ରତ୍ୟେକ ବର୍ଷ ଜିଲ୍ଲାବାସୀ ଆଗ୍ରହ ଏବଂ ବ୍ୟଗ୍ରତାର ସହ ରଥଯାତ୍ରାକୁ ଅପେକ୍ଷା କରିଥାନ୍ତି। ଏଣୁ ପବିତ୍ର ଘୋଷଯାତ୍ରା ଏବଂ ବାହୁଡାଯାତ୍ରାରେ ମହିଳା ମାନଙ୍କୁ ରଥଟାଣିବା ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯିବାକୁ ଦାବି ହୋଇଥିଲା । କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ପୂର୍ବତନ କେନ୍ଦୁଝର ପୈାରପାଳିକା ଅଧ୍ୟକ୍ଷା ମୀନା ମାଝୀ, କେନ୍ଦୁଝରଗଡ଼ ପୌରପାଳିକାର କାଉନସିଲର କେକି କାକଳି କୁମୁରାଙ୍କ ସମେତ ସୁରଥି ଘଣା, ପଙ୍କଜିନି ମହାନ୍ତ, ପୁନମ କୁମମୱା, ମମତାରାଣୀ ମହାନ୍ତି ପ୍ରମୁଖ ବହୁ ମହିଳା ସାମିଲ ହୋଇ ଦାବି ଜଣାଇଥିଲେ ।

ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ଆଲୋଚନା ପରେ କେନ୍ଦୁଝରର ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ପ୍ରସ୍ତାବ ଗୃହୀତ ହୋଇଛି । ଏହି ଖବର ପ୍ରକାଶ ପରେ ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ପୂର୍ବତନ ପୌରପାଳିକା ଅଧ୍ୟକ୍ଷା ଜିଲ୍ଲା ପ୍ରଶାସନ ଓ ବୁଦ୍ଧିଜୀବୀ ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ରଥଯାତ୍ରା ଦେଖିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ବହୁ ପୁରୁଷ ମହିଳା ଓ ଛୋଟ ଛୋଟ ଛୁଆ ଆସିଥାନ୍ତି । ଏଥିରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବାରୁ ପ୍ରଶାସନକୁ ନିବେଦନ ଜଣାଇଛନ୍ତି ମିନା ମାଝୀ ।

ତେବେ ଚଳିତ ରଥଯାତ୍ରାରେ ସୁନାବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରାକୁ ସୁପରିଚାଳନା ତଥା ଭିଡ ପରିଚାଳନା ପାଇଁ ପୋଲିସ ଓ ପ୍ରଶାସନ ସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ସୁବନ୍ଦୋବସ୍ତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପାଇଁ ବିଭିନ୍ନ କମିଟି ଗଠନ, ରଥ ନିର୍ମାଣ, ରଥ ଦଉଡି ଯୋଗାଣ, ପୂଜା ବ୍ୟବସ୍ଥା, ପହଣ୍ଡି ସେବା, ସ୍ୱେଚ୍ଛାସେବୀ ନିୟୋଜନ, ପାନୀୟ ଜଳ ଯୋଗାଣ, ଉଠା ଦୋକାନ ଓ ସରକାରୀ ଷ୍ଟଲ ଆଦି ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିବା ଜଣାପଡିଛି । ଏହା ସହ ସାଂସ୍କୃତିକ ସମାରୋହ, ଗମନାଗମନ, ପ୍ରସାଦ ବଣ୍ଟନ ନେଇ ମଧ୍ୟ ଚଳିତ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜିଲ୍ଲାପାଳ ଆଶିଷ ଠାକରେ, ନୂତନ ଏସପି ନିତିନ କୁସଲକରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details