କେନ୍ଦ୍ରାପଡା:ହକି ଜ୍ବରରେ କମ୍ପୁଛି ରାଜ୍ୟ । FIH ପୁରୁଷ ହକି ବିଶ୍ବକପ ନେଇ ଦିନ ଯେତିକି ପାଖଉଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ସବୁଠି ଉଲ୍ଲାସ, ଉତ୍ସାହ ଆଉ ଉତ୍ସବ । ଏହାରି ଭିତରେ ସମସ୍ତ ଜିଲ୍ଲା ପରିକ୍ରମା କରୁଛି ହକି ବିଶ୍ବକପ ଟ୍ରଫି । ସୋମବାର କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛି ପୁରୁଷ ହକି ବିଶ୍ବକପ ଟ୍ରଫି । ଜିଲ୍ଲାରେ ଟ୍ରଫିଟୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା( welcome to hockey world cup trophy in kendrapara )। ଶୀତ ଓ କାକରକୁ ଖାତିର ନକରି ହଜାର ହଜାର ଛାତ୍ରଛାତ୍ରୀ ଓ କ୍ରୀଡାପ୍ରେମୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରଫିକୁ ସ୍ବାଗତ କରିଛନ୍ତି । ଏହା ପୂର୍ବରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଟ୍ରଫିକୁ ସ୍ବାଗତ କରାଯାଇଥିଲା । 16ଟି ରାଜ୍ୟରେ ବୁଲିବା ପରେ 25 ତାରିଖରୁ ଜିଲ୍ଲା ପରିକ୍ରମାରେ ବାହାରିଥିଲା ହକି ବିଶ୍ବକପ ଟ୍ରଫି । ଆଜି(ମଙ୍ଗଳବାର) ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ । ଗୌରବ ଅଧ୍ୟାୟ ପାଇଁ ମାରାଥନ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଦୌଡ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।
ଡେରାବିଶ୍ ଥାନା ଅଧିନ ପଞ୍ଚୁପାଣ୍ଡଵ ଛକ ନିକଟରେ ଯାଜପୁର ଜିଲ୍ଲାରୁ ଟ୍ରଫି ହସ୍ତାନ୍ତର ହେବା ପରେ ସେଠାରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଡେରାବିଶ୍ ବିଡିଓ ଓ ତହସିଲଦାରଙ୍କ ସମେତ ବହୁ ନେତା ଓ ଜନତା ଏକତ୍ର ହୋଇ ଟ୍ରଫିକୁ ବନ୍ଦାପନା କରିଥିଲେ । ଓଡ଼ିଶା ଟୁରିଜିମ ବସରେ ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଏହି ଟ୍ରଫିକୁ ବସ୍ ଭିତରୁ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ । ଦୁହୁରିଆ, ତିନିମୁହାଣୀ, ବାରିମୂଳ ଛକ ଆଦି ସ୍ଥାନରେ ଟ୍ରଫିକୁ ମହିଳା ମଣ୍ଡଳ ଓ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ବାରା ପାଛୋଟି ନିଆଯାଇଥିଲା। ଆଜି (ମଙ୍ଗଳବାର) ଟ୍ରଫି ଉଦ୍ଦେଶ୍ୟରେ ଏକ ମିନି ମାରାଥନ କରାଯାଇ ସର୍ବ ସାଧାରଣ ଟ୍ରଫିକୁ ସ୍ପର୍ଶ କରିବାର ସୁଯୋଗ ପାଇବେ ବୋଲି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଦୁଇଥର ହକି ବିଶ୍ବକପ ଆୟୋଜନ କରି ରାଜ୍ୟ କେତେ ଯେ ଏହି ଜାତୀୟ ଖେଳକୁ ଭଲପାଏ ତାହା ସୂଚନା ଦେବା ସହ ହକି ପ୍ରତି ଓଡ଼ିଆର ଜୀବନ ବୋଲି ବାର୍ତ୍ତା ଦେଇଥିବା କହିଛନ୍ତି ରାଜନଗର ବିଧାୟକ।