ଓଡିଶା

odisha

ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ, ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ

By ETV Bharat Odisha Team

Published : Jan 1, 2024, 1:03 PM IST

Fake Police Raids Kendrapara : କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । କୁଦାନଗରୀ ଥାନା ନିକଟରୁ ମାତ୍ର ୫୦୦ ମିଟର ଦୂରରେ ଜୁଆ ଖେଳ ଚାଲିଥିବା ବେଳେ ନକଲି ପୋଲିସ ଚଢ଼ାଉ କରିଥିବା ସୂଚନା ରହିଛି । ଅଧିକ ପଢନ୍ତୁ

ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ
ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ

କେନ୍ଦ୍ରାପଡା: ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ ! କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । କୁଦାନଗରୀ ଥାନା ନିକଟରୁ ମାତ୍ର ୫୦୦ ମିଟର ଦୂରରେ ଖୁଲମଖୁଲା ଜୁଆ ଖେଳ ଚାଲିଥିବା ବେଳେ ନିଜକୁ ଜିଲ୍ଲା ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ କହି ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଏନେଇ ଜୁଆ ଖେଳୁଥିବା ଏବଂ ଖେଳାଉଥିବା ବ୍ୟକ୍ତି ମାନେ ଦ୍ଵନ୍ଦ୍ୱରେ ପଡ଼ି କୁଦାନଗରୀ ଥାନା ଭାରପ୍ରାପ୍ତ ଅଧିକାରିଣୀଙ୍କୁ ଫୋନ୍ କରିଥିଲେ । ଏହାପରେ କୁଦାନଗରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକ ଓ ଯୁବତୀଙ୍କୁ କାବୁ କରିଥିଲେ । ଯାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ, କୁଦାନଗରୀ ଥାନା ନିକଟରୁ ମାତ୍ର ୫୦୦ ମିଟର ଦୂରରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ ପୋଷାକ ପିନ୍ଧି ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ନିଜକୁ ଜିଲ୍ଲା ସ୍ୱତନ୍ତ୍ର ପୋଲିସ ସ୍କ୍ୱାଡ୍‌ କହି ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଏନେଇ କୁଦାନଗରୀ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନକଲି ପୋଲିସମାନଙ୍କୁ କାବୁ କରିବା ସହ ଏକ କାର ଜବତ କରିଛି । ତେବେ ଜବତ କାରଟି କେନ୍ଦ୍ର ସରକାରଙ୍କ ଏକ ବିଭାଗର ଗାଡି ବୋଲି ନମ୍ବର ପ୍ଲେଟରେ ଉଲ୍ଲେଖ ରହିଛି ।

ଏହାମଧ୍ୟ ପଢନ୍ତୁ.. ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ, ପ୍ରତିବାଦରେ ୬ ଘଣ୍ଟିଆ ବଜାର ବନ୍ଦ

ଅଟକ ମହିଳା ଜଣକ ଛତିଶଗଡ଼ର ରେଳ ବିଭାଗରେ ଚାକିରି କରିଥିବା ନେଇ ସୂଚନା ରହିଛି । ଅନ୍ୟପଟେ ଏହି ଖବର ପାଇବା ପରେ ରାୟପୁର ଅଞ୍ଚଳର ଜଣେ ରେଳ କର୍ମଚାରୀ ଅଚାନକ ଥାନାରେ ପହଞ୍ଚିବାରୁ ଘଟଣା ଆହୁରି ରୋଚକ ହୋଇଥିଲା । ନକଲି ପୋଲିସ ସହ ରେଳ ବିଭାଗର କର୍ମଚାରୀଙ୍କ କଣ ଲିଙ୍କ୍‌ ରହିଛି ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ପୋଲିସ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଥାନାର ଏତେ ନିକଟରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସର କିଭଳି ଜାଣି ପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସର ଉଚ୍ଚ କର୍ତ୍ତୃପକ୍ଷ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।


ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details