ଓଡିଶା

odisha

ଠକେଇର ନୂଆ ତରିକା: ବାତରା ଗଛର ଚେରକୁ ଚନ୍ଦନ କାଠ କହି ବିକ୍ରି, ୩ ଗିରଫ

By ETV Bharat Odisha Team

Published : Nov 26, 2023, 7:10 AM IST

ବାତରା ଗଛର ଚେରକୁ ଚନ୍ଦନ କାଠ କହି ବିକ୍ରି ଅଭିଯୋଗ । ଚେର ସଂଗ୍ରହ ସମୟରେ ୩ଜଣଙ୍କୁ ଗିରଫ କଲା ବନବିଭାଗ । ଅଧିକ ପଢନ୍ତୁ

ଠକେଇର ନୂଆ ତରିକା , ବାତରା ଗଛର ଚେରକୁ ଚନ୍ଦନ କାଠ କହି ବିକ୍ରି ୩ ଗିରଫ
ଠକେଇର ନୂଆ ତରିକା , ବାତରା ଗଛର ଚେରକୁ ଚନ୍ଦନ କାଠ କହି ବିକ୍ରି ୩ ଗିରଫ

କେନ୍ଦ୍ରାପଡା:ଠକେଇର ନୁଆଁ ତରିକା ।ବାତରା ଗଛର ଚେରକୁ ଚନ୍ଦନ କାଠ କହି ବିକ୍ରି କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି କନିକା ବନ ବିଭାଗ ।ଲୁଣା ଜଙ୍ଗଲରେ ମିଳୁଥିବା ବାତରା ଗଛର ଚେରକୁ ହଳଦୀ ଲଗାଇ ସେଥିରେ ଚନ୍ଦନ ଅତର କହି ବଜାରରେ ବିକ୍ରି କରୁଥିବା ଅଭିଯୋଗ ଦୀର୍ଘଦିନରୁ ହୋଇଆସୁଛି ।ଏନେଇ ବନ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ଏହି ଚେର ସଂଗ୍ରହ ରାକେଟ୍‌ର ଅଭିଯୁକ୍ତମାନଙ୍କୁ ଗିରଫ କରୁଥିବାବେଳେ ପୁଣି ଥରେ ଏହି ରାକେଟ୍‌ର ସଦସ୍ୟମାନେ ସକ୍ରିୟ ହୋଇ ଉଠିଛନ୍ତି । ବନ ବିଭାଗ ଏହି ରାକେଟରେ ସମ୍ପୃକ୍ତ ୩ ଜଣକୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ରାଜନଗର ବନଖଣ୍ଡ ଅଧିନ ହେନ୍ତାଳ ବଣ ବା ଲୁଣା ଜଙ୍ଗଲ ପରିବେଷ୍ଟିତ ସୁବଳାଡିଆ ଜଙ୍ଗଲରେ ଶୁକ୍ରବାର ରାତିରେ କନିକା ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ଡାଙ୍ଗମାଳ ଓ ଖୋଳା ସେକ୍ସନ ଅଧିନରେ ମିଳିତ ପାଟ୍ରୋଲିଂ କରାଯାଉଥିବା ବେଳେ ଆଜି (ଶନିବାର) ଭୋର ସମୟରେ ବନ ବିଭାଗ ୩ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜଙ୍ଗଲରେ ଦେଖି ସେମାନଙ୍କୁ ଅଟକାଇଥିଲେ । ପରେ ସେମାନଙ୍କ ନିକଟରୁ ୩ ବଡ଼ ବ୍ୟାଗ୍‌ରେ ବୋଝେଇ ହୋଇଥିବା ପ୍ରାୟ ଦେଢ଼ କ୍ୱିଣ୍ଟାଲ ଓଜନର ବାତରା ଗଛର ଚେର ଜବତ କରିଥିଲା । ଅଭିଯୁକ୍ତମାନେ ଏହି ବାତରା ଗଛର ଚେରରେ ଅରମେଟିକ ସେଣ୍ଟ୍‌ ସ୍ପ୍ରେ ବ୍ୟବହାର କରି ବଜାରରେ ଏହାକୁ "ଚନ୍ଦନ କାଠ" କହି ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି ।

ତେବେ ଏହି ଅଭିଯୁକ୍ତମାନେ ଭିତରକନିକାର ପ୍ରସ୍ତାବିତ ନିଷିଦ୍ଧାଞ୍ଚଳରେ ଏହି ବାତରା ଗଛର ଚେର ସଂଗ୍ରହ କରି ବଜାରରେ ଏହାକୁ ଚନ୍ଦନ କାଠ କହି ବିକ୍ରି କରୁଥିବା ଆଗରୁ ନଜିର ରହିଛି । ଗିରଫ ୩ଜଣ ଅଭିଯୁକ୍ତ ସ୍ଥାନୀୟ ରାଜନଗର ଥାନା ରିଘାଗଡ଼ ଗାଁର ରବୀନ୍ଦ୍ର ମଣ୍ଡଳ, ଦୀପକ ମଣ୍ଡଳ ଓ ପପୁ ସେଠୀ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଥିବା ବନବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ଆଜିର ଏହି ଚଢ଼ାଉରେ ସିଜର ଅଫିସର ଭାବେ ବନରକ୍ଷୀ ଦୀପ୍ତିରଞ୍ଜନ ପାଲ, ପ୍ରଦୋଷ ମହାପାତ୍ର, ସନ୍ଧ୍ୟାରାଣୀ ମଲିକ ପ୍ରଭୃତି ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ....ପିଆଜ ସପ୍ଲାଏ ଆଳରେ ବ୍ରାଉନସୁଗାର ଡିଲ୍, ରାଜଧାନୀରୁ କୋଟିଏ ଟଙ୍କାର‌ ଡ୍ରଗ୍ସ ଜବତ

ତେବେ ଗତ ୪ ଦିନ ତଳେ ବନାଞ୍ଚଳ ଅଧିକାରୀ ମାନସ ଦାସଙ୍କ ନେତୃତ୍ୱରେ ଏକ ଟିମ ପାଟ୍ରୋଲିଂ କରୁଥିବା ସମୟରେ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ କେରୁଆପାଳ ଗାଁର ତପନ ମିର୍ଦ୍ଧା ଏହି ବାତରା ଚେର ସଂଗ୍ରହ କରୁଥିବା ବେଳେ ଗିରଫ ହୋଇଥିଲେ । ତେବେ ବଜାରରେ ଚନ୍ଦନ କାଠର କଳାବଜାରୀ ଆରମ୍ଭ ହୋଇଥିବାବେଳେ ଏହାକୁ ରୋକିବା ପାଇଁ ବନ ବିଭାଗର ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।


ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details