ଓଡିଶା

odisha

ଶିଳ୍ପ ପୂର୍ବରୁ ଜମିପଟ୍ଟା ବିବାଦ; ସପକ୍ଷବାଦୀଙ୍କ ଧନ୍ୟବାଦ, ବିରୋଧିଙ୍କ ଆନ୍ଦୋଳନ ଚେତାବନୀ

By ETV Bharat Odisha Team

Published : Nov 28, 2023, 7:54 AM IST

Updated : Nov 28, 2023, 1:04 PM IST

ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଜମିପଟ୍ଟାକୁ ନେଇ ବିବାଦ । ଜିଲ୍ଲାପାଳଙ୍କ ରାୟକୁ ନେଇ ଦେଖାଗଲା ବିରୋଧ ଓ ସମର୍ଥନ । ଅଧିକ ପଢନ୍ତୁ

ଶିଳ୍ପ ପୂର୍ବରୁ ଜମି ବିବାଦ
ଶିଳ୍ପ ପୂର୍ବରୁ ଜମି ବିବାଦ

ଶିଳ୍ପ ପୂର୍ବରୁ ଜମି ବିବାଦ

କେନ୍ଦ୍ରାପଡା:କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧୀନସ୍ଥ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଜମିପଟ୍ଟାକୁ ନେଇ ବିବାଦ ଦେଖାଦେଇଛି । ଜିଲ୍ଲାପାଳଙ୍କ ରାୟକୁ ସମର୍ଥନ କରି ଗୋଟିଏ ଗୋଷ୍ଠୀ ଧନ୍ୟବାଦ ଜଣାଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଛି ।

ସୂଚନା ଅନୁଯାୟୀ, ୧୯୫୧ ମସିହାରେ କେନ୍ଦ୍ରାପଡା ମହାକାଳପଡ଼ା ଅଞ୍ଚଳରେ କିଛି ଶରଣାର୍ଥୀ ଆସି ରହିଥିଲେ । ସେବେଠୁ ସେମାନେ ଏଠାରେ ଚାଷବାସ କରିବା ସହ ଘରବାଡି କରି ରହିଆସୁଛନ୍ତି । ସେମାନଙ୍କୁ ୧୯୭୬ ମସିହାରେ "କେ"ଫର୍ମ ପଟ୍ଟା ମିଳିଥିଲା । ସେମାନେ ଏନେଇ ଟିକସ ପ୍ରଦାନ ମଧ୍ୟ କରିଥିଲେ । ହେଲେ 2013 ମସିହାରେ ଏହା ଜଙ୍ଗଲ ଜମି ଭାବେ ଗ୍ରହଣ କରାଯାଇଥିଲା । ଯାହାପରେ ୨୦୧୯ ମସିହାରେ ସ୍ଥାୟୀ ପଟ୍ଟା ଦାବିରେ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ସ୍ଥାନୀୟ ଲୋକେ । ଏହାର ଶୁଣାଣି ଦାୟିତ୍ବ ହାଇକୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିବା ବେଳେ ଜିଲ୍ଲାପାଳ ଗତ ଅକ୍ଟୋବର ମାସ ୩୦ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରିଛନ୍ତି ।

ତେବେ ଏହି ରାୟକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ଏହି ରାୟ ଉପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ମହାକାଳପଡା ବ୍ଲକର ଉପକୂଳବର୍ତ୍ତୀ ରାମନଗର, ଖରନାସୀ ଏବଂ ବତିଘର ପଞ୍ଚାୟତମାନଙ୍କରେ ଦୀର୍ଘ ଦିନ ହେବ ଚାଲିଥିବା ଜଙ୍ଗଲ ଜମିଜମା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟରେ ସନ୍ତୁଷ୍ଟ ଥିବା କହିଛନ୍ତି ଶିଳ୍ପ ସପକ୍ଷବାଦୀମାନେ ।

ସେମାନଙ୍କ କହିବାନୁଯାୟୀ, ଏହିସବୁ ଅଞ୍ଚଳରେ ଦୀର୍ଘଦିନ ହେବ ବସବାସ କରି ଆସୁଥିବା ବଙ୍ଗ ଭାଷାଭାଷୀ ପରିବାରମାନଙ୍କ ଜମିଜମା ସମସ୍ୟାର ସମାଧାନ ବାଟ ଫିଟିଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଏହି ଜମିଜମା ମାମଲାଟି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କୋର୍ଟରେ ଦୀର୍ଘ ମାସ ଧରି ବିଚାରଧୀନ ଥିଲା । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମାମଲାର ବିଚାର କରି ସ୍ଥାନୀୟ ଅଧିବାସୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।"

ଏହାମଧ୍ୟ ପଢନ୍ତୁ.. ପୂରଣ ହେଲା ଦୀର୍ଘବର୍ଷର ଦାବି, କେନ୍ଦ୍ରାପଡା ରସାବଳିକୁ GI ଟ୍ୟାଗ୍‌

ତେବେ ଜଙ୍ଗଲ ଜମି ଆଇନରେ କେନ୍ଦ୍ର ସରକାରଙ୍କର ଥିବା କଟକଣା ଯୋଗୁଁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାର କ୍ଷମତା ଜିଲ୍ଲା ପ୍ରଶାସନର ନାହିଁ । ଏନେଇ ଉପଯୁକ୍ତ ଫୋରମରେ ଆବେଦନ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ରାୟର ସପକ୍ଷବାଦୀ । ଏଥିସହ ଏହି ରାୟ ପାଇଁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଅନ୍ୟପଟେ ବିପକ୍ଷବାଦୀଙ୍କ କହିବାନୁଯାୟୀ, ଜିଲ୍ଲାପାଳ ଶୁଣାଇଥିବା ରାୟରେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଜବରଦଖଲ କରି ରହିଥିବା କୁହାଯାଇଛି । ସେମାନଙ୍କୁ ଏହି ସ୍ଥାନରୁ ଉଚ୍ଛେଦ କରିବାକୁ ହେଲେ ତାଙ୍କୁ ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ରାୟରେ କୁହାଯାଇଛି । ମାତ୍ର ଏହି ଅଞ୍ଚଳର ଚାଷୀମାନେ ଏହାକୁ ବିରୋଧ କରିବା ସହ ବିଭିନ୍ନ ଦାବି କରିଛନ୍ତି ।

ବିପକ୍ଷବାଦୀଙ୍କ ଦାବି ଅନୁଯାୟୀ, ୧୯୭୬ ମସିହାରେ ମିଳିଥିବା ପଟ୍ଟା "କେ"ଫର୍ମ ପଟ୍ଟାକୁ ଅନଲାଇନ ଓ ସେଟେଲମେଣ୍ଟ କରିବା, ରିଫ୍ୟୁଜି ଜମିକୁ କିଣାବିକା ପାଇଁ ଆଇନ, TL ଖାତା ସଂଶୋଧନ କରି ଅବରୋଧ ପାଉତି କାଟି ଜମିର କିସମ ପରିବର୍ତ୍ତନ କରିବା, ଇଡକୋକୁ ଦିଆଯାଇଥିବା ଜମିପଟ୍ଟାକୁ ଖାରଜ କରିବା ପାଇଁ ଦାବି କରିଛନ୍ତି । ତେବେ ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିପକ୍ଷ ଗୋଷ୍ଠୀ ରାମଚଣ୍ଡୀ କୃଷକ କଲ୍ୟାଣ ସମିତିର ସଦସ୍ୟ ଓ ସଦସ୍ୟା ।

କେନ୍ଦ୍ରାପଡା, ଇଟିଭି ଭାରତ

Last Updated : Nov 28, 2023, 1:04 PM IST

ABOUT THE AUTHOR

...view details