ଓଡିଶା

odisha

kalahandi Utsav Ghumura 2023, କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ଜୋରଦାର

By

Published : Jan 13, 2023, 12:26 PM IST

୩ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି କଳାହାଣ୍ଡି ଉତ୍ସବ ଘୁମୁରା । ସାମ୍ବାଦିକ ସମ୍ମିଳନୀ ଜରିଆରେ ଉତ୍ସବ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

କଳାହାଣ୍ଡି ଉତ୍ସବ ଘୁମୁରାକୁ ନେଇ ସାମ୍ବାଦିକ ସମ୍ମିଳନୀ
କଳାହାଣ୍ଡି ଉତ୍ସବ ଘୁମୁରାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶଧାରାର ବାର୍ତ୍ତାବହ ଲୋକ ମହୋତ୍ସବ ଘୁମୁରା ୨୦୨୩କୁ ନେଇ ଜିଲ୍ଲାରେ ଉତ୍ସବର ମାହୋଲ ଖେଳିଯାଇଛି । ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକସ୍ତରୀୟ ଉତ୍ସବ ସରିବା ପରେ ଏବେ ଜିଲ୍ଲାସ୍ତରୀୟ ଉତ୍ସବକୁ ନେଇ କଳାକାରମାନଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି । ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଓ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ଉପଖଣ୍ଡସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେବ । ଏହି ଉତ୍ସବ ପାଇଁ ପ୍ରସ୍ତୁତିକୁ ମଧ୍ୟ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ଏନେଇ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ଏହି ସମ୍ମିଳନୀରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଏସପି ଅଭିଳାଷ ଜି, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସଚିନ ପାୱାର, ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅର୍ପିତା ବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି କଳାହାଣ୍ଡି ଉତ୍ସବ ଘୁମୁରାରେ ୬୦ଟି ରାଜ୍ୟସ୍ତରୀୟ ସାଂସ୍କୃତିକ ଦଳ ଓ ୧୬ଟି ରାଜ୍ୟ ବାହାରର ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ନିଜର ଲୋକକଳା ପ୍ରଦର୍ଶିତ କରିବେ ।

ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଉତ୍ସବରେ ୪୦୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଥିବା ବେଳେ ପଲ୍ଲିଶ୍ରୀ ମେଳାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟବସାୟୀ ନିଜର ବ୍ୟବସାୟ କରିବେ । ଏହାସହ ୧୫ ତାରିଖ ଦିନ ଜେଲ୍ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାହାଗିର ଉତ୍ସବ ମଧ୍ୟ ଅନୁଷ୍ଠିତ ହେବା ସହ ମହିଳାମାନଙ୍କ ମଧ୍ୟରେ ଝୋଟି, ହୁଳହୁଳି ଭଳି ଅନେକ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

କୋଭିଡ କଟକଣା ଯୋଗୁଁ ଦୀର୍ଘ ୩ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି କଳାହାଣ୍ଡି ଉତ୍ସବ ଘୁମୁରା । ତେଣୁ ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏହାସହ ଭବାନୀପାଟଣାକୁ ପ୍ରବେଶ ପଥରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details