ଝାରସୁଗୁଡା: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସଙ୍କ ନାମରେ ଥିବା ମେମର୍ସ ମହାନଦୀ ୱେଷ୍ଟ ମେନେଜମେଣ୍ଟ ସାର୍ଭିସକୁ ଇଡ଼କୋ ଜରିଆରେ ଝାରସୁଗୁଡା ଜିଲ୍ଲା କୋଲାବିରା ତହସିଲ ଅନ୍ତର୍ଗତ ସୋଡ଼ାମାଲ ଗାଁ ର ୮ ଏକର ପତିତ କିସମର ମୂଲ୍ୟବାନ ସରକାରୀ ଜମିକୁ ଲିଜରେ ଦେବା ଘଟଣାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ବିଶାଳ ଦାସଙ୍କ ବାପା ନବ ଦାସ ଜଣେ ଟାଣୁଆ ମନ୍ତ୍ରୀ ହୋଇଥିବାରୁ ସରକାରୀ ଅଧିକାରୀଙ୍କୁ ପ୍ରଭାବିତ କରି ଜମି ଲିଜରେ ନେଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ବିଶାଳ ଦାସ କୋଲାବିରା ତହସିଲରେ ଜମି ଲିଜ ପାଇଁ ଆବେଦନ କରିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ ଲିଜ ପିଟିସନକୁ ବାତିଲ ପାଇଁ ଆବେଦନ କରିଥିଲେ । କିନ୍ତୁ ସେହି ସରକାରୀ ଜମିକୁ ହାତେଇବା ପାଇଁ ଇଡ୍କୋ ଜରିଆରେ ଆବେଦନ କରିଥିଲେ । ଯେଉଁ ସରକାରୀ ଜମି ଲିଜ ପାଇଁ ପୂର୍ବରୁ ବିଶାଳ ଦାସ ଆବେଦନ କରିଥିଲେ ସେହି ଜମିକୁ ଇଡକୋ ଜରିଆରେ ଜମି ଅଧିଗ୍ରହଣ ପାଇଁ ବାଟ ଫିଟାଇଛି ପ୍ରଶାସନ ।
ଗତ ୧୯ ଅକ୍ଟୋବରର ଚିଠିରେ ମେମର୍ସ ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ସାର୍ଭିସକୁ କୋଲାବିରା ତହସିଲ ଅନ୍ତର୍ଗତ ସୋଡ଼ାମାଲ ଗାଁ ର ଖାତା ନମ୍ବର ୪୯୦ ପ୍ଲଟ ୧୩୫୩ ରେ ଥିବା ୮ଏକର ପତିତ କିସମର ମୂଲ୍ୟବାନ ସରକାରୀ ଜମିକୁ ଏକ କୋଟି ୨୦ ଲକ୍ଷ ଟଙ୍କା ଏକ ମାସ ମଧ୍ୟରେ ଜମା କରିବା ପାଇଁ ଚିଠିରେ ଉଲ୍ଲେଖ ଅଛି । କୋଲାବିରା ତହସିଲ ଅନ୍ତର୍ଗତ ସୋଡ଼ାମାଲ ଗ୍ରାମରେ ଗ୍ରାମ ପଞ୍ଚାୟତ ଦ୍ଵାରା ତା୧/୧୨/୨୦୧୧ରେ ଅନୁଷ୍ଠିତ ଜରୁରୀ ବୈଠକ ଅନୁସାରେ ଏହି ପଞ୍ଚାୟତ ରେ ପରିବେଶ ଓ ପ୍ରଦୂଷଣର ତାଣ୍ଡବ ସହ ଜଳ ସଙ୍କଟ ଯୋଗୁଁ ସୋଢାମାଲ ମୈ।ଜା ଖାତା ନଂ ୪୯୦ଓ ୪୮୮ ରୁ କୈାଣସି ପ୍ରକାର କଳକାରଖାନା ବସାଇବା ଉଦ୍ଦେଶ୍ୟରେ ଜମି ଇଡକୋ ଜରିଆରେ ନ ଦେବାକୁ ତହସିଲଦାର କୁଲାବିରା ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗକୁ ଚିଠି ଆକାରରେ ଜଣାଇ ଦିଆଯାଇଥିଲା । ଏହା ସତ୍ବେ ପୁଣି ଷଡ଼ଯନ୍ତ୍ର କରି ତା.୨/୮/୨୦୧୯ରେ କାରଖାନା ପ୍ରତିଷ୍ଠା ଉଦ୍ଦେଶ୍ୟରେ ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ନାଁ ରେ ଆଉ ଏକ ଦରଖାସ୍ତ ବିଶାଲ କୁମାର ଦାସ ପିତା ନବ କିଶୋର ଦାସ ( ସ୍ବାସ୍ଥ୍ୟ ମନ୍ତ୍ରୀ ଓଡ଼ିଶା ସରକାର) ନାମରେ ଦାଖଲ କରି ରାଜନୈତିକ ଚାପରେ ସମସ୍ତ ପ୍ରଶାସନିକ କାମ ଶେଷ କଲାବେଳକୁ ଷଡ଼ଯନ୍ତ୍ର ପ୍ରକଟ ହୋଇ ଜନ ଆନ୍ଦୋଳନର ରୂପ ଧାରଣ କରିଛି । ଯାହାପରେ ବାଧ୍ୟହୋଇ ତରବରିଆ ଭାବେ ତା.୨୩/୧୦/୨୦୧୯ରେ ନିଜ ଦ୍ଵାରା ଦାଖଲ ହୋଇଥିବା ଲିଜ ଦରଖାସ୍ତକୁ ନିଜେ ହିଁ ଖାରଜ କରିବା ପାଇଁ ନିବେଦନ କରି ସମସ୍ତ ଘଟଣାକ୍ରମରେ ପୂର୍ଣ୍ଣ ଛେଦ ଟାଣିଥିଲେ ।