ଯାଜପୁର: ଧର୍ମଶାଳା ଅଞ୍ଚଳର ଜଣାଶୁଣା ସୂଚନା ଅଧିକାରକର୍ମୀ ସର୍ବେଶ୍ବର ବେହୁରାଙ୍କୁ ମିଳିଲା ଜାମିନ । ଆଜି ସର୍ବେଶ୍ବରଙ୍କୁ ଜାମିନ ପ୍ରଦାନ କରିଛନ୍ତି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଦୌରାଜଜ୍ ସୌଭାଗ୍ୟ ରଞ୍ଜନ ସ୍ବାଇଁ । ଜଣେ ଜାମିନଦାର ଏବଂ ୩୦ ହଜାର ଟଙ୍କାର ଜମାନତ ବଦଳରେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାରେ ସରକାରୀ ଜମିରୁ ମୋରମ ଓ ମାଟି ଚୋରାଚାଲାଣ ଅଭିଯୋଗରେ ଗତ ଜୁନ୍ ୧୪ ତାରିଖରେ ଗିରଫ ହୋଇଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା । ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ଅଭିଯୋଗ ପରେ ପୋଲିସ ସର୍ବେଶ୍ବରଙ୍କୁ ଗିରଫ କରିଥିଲା । ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାର ଏକ ସରକାରୀ ଜମିରୁ ମୋରମ ଓ ମାଟି ଉଠାଯାଉଥିବା ବେଳେ ଖବର ପାଇ ଧର୍ମଶାଳା ତହସିଲ ଓ ପୋଲିସ ପ୍ରଶାସନ ଚଢ଼ାଉ କରିଥିଲା । ଏହି ସମୟରେ ଜେସିବି ମେସିନ ସହ ୫ଟି ଟ୍ରାକ୍ଟର ଜବତ କରାଯାଇଥିଲା । ତେବେ ସର୍ବେଶ୍ବରଙ୍କ ଜମିରେ ଏହି ମୋରମ ଓ ମାଟି ପକାଯିବା ପାଇଁ ବେଆଇନ ଭାବେ ଉଠାଯାଉଥିବା ଜଣାପଡିବା ପରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ସର୍ବେଶ୍ବରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ସର୍ବେଶ୍ବରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ଆଜି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଦୌରାଜଜ୍ ସର୍ବେଶ୍ବରଙ୍କୁ ଜାମିନ ପ୍ରଦାନ କରିଛନ୍ତି ।