ଜଗତସିଂହପୁର:ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ପୀଠରେ ଦଶହରା ପାଳିତ ହୋଇଛି । ଏହି ପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିଲା । ମହାନବମୀ ତିଥିରେ ମାଆଙ୍କ ପୂଜାର ପରିସମାପ୍ତି ହେବାପରେ ଶ୍ରବଣା ନକ୍ଷେତ୍ରରେ ଅପରାଜିତା ପୂଜା କରାଯାଇଥିଲା । ପରେ ଷୋହଳ ଦିନଧରି ଅନୁଷ୍ଠିତ ହେଉଥିବା ଘଟ ବିସର୍ଜନ କରାଯିବାର ବିଧି ରହିଛି । ଯାହା ମଙ୍ଗଳବାର ପରିସମାପ୍ତି ଘଟିଛି ।
ମଙ୍ଗଳବାର ସକାଳୁ ମଙ୍ଗଳ ଆଳତୀ ପରେ ଷୋଡଶ ଦିନାତ୍ମକ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଯଜ୍ଞର ପୂର୍ଣ୍ଣାହୁତି ପରେ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ଘଟକୁ ଚନ୍ଦନ ପୁଷ୍କରିଣୀରେ ବିସର୍ଜନ କରାଯାଇଛି । ସେହିପରି ଦେବୀଙ୍କ ନିକଟରେ ଗତକାଲି ମହାନବମୀ ପୂଜା କରାଯାଇଥିବା ବେଳେ ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ମନ୍ଦିରରେ ଦଶହରା ଓ ଘଟ ବିସର୍ଜନ ଶେଷ ହୋଇଛି ।