ଓଡିଶା

odisha

ଗଞ୍ଜାମରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, କହିଲେ ଆଖି ଖୋଲି ବିକାଶ ଦେଖ

By ETV Bharat Odisha Team

Published : Dec 17, 2023, 9:10 PM IST

VK Pandian targets opposition: ଗଞ୍ଜାମରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ । ବିରୋଧୀଙ୍କୁ କହିଲେ ଆଖି ଖୋଲି ବିକାଶ କାର୍ଯ୍ୟକୁ ଦେଖ । ଅଧିକ ପଢନ୍ତୁ

VK Pandian targets opposition
VK Pandian targets opposition

ବ୍ରହ୍ମପୁର:ଗଞ୍ଜାମରୁ ବିରୋଧୀଙ୍କୁ ଟାର୍ଗେଟ କଲେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦାନ ପରେ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ପାଣ୍ଡିଆନ ନିଜର ବକ୍ତବ୍ୟରେ ଗଞ୍ଜାମରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀର ସିନ୍ଦରପୁର ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ପାଣ୍ଡିଆନ ବିକାଶକୁ ବିରୋଧ କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି । ଆଖି ଖୋଲି ବିକାଶ କାର୍ଯ୍ୟକୁ ଦେଖିବାକୁ ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ।

ଉପସ୍ଥିତ ମହିଳା ସାଧାରଣ ଜନତାଙ୍କୁ ଉଦବୋଧନ ଦେବା ସମୟର ପାଣ୍ଡିଆନ ନିଜର ବକ୍ତବ୍ୟ ଛଳରେ କହିଥିଲେ, "କିଛି ଲୋକଙ୍କୁ ବିକାଶ ଦେଖାଯାଉନାହିଁ । ରୂପାନ୍ତରଣକୁ ଗ୍ରହଣ କରିପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହେଇଯାଉଛନ୍ତି । ଏଣୁ ଆଖି ଖୋଲିଲେ ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ଶିକ୍ଷାଠୁ ଆରମ୍ଭ କରି ସ୍ଵାସ୍ଥ୍ୟସେବା, ଗମନାଗମନ , ପୁରାତନ ମଠ ଓ ମନ୍ଦିରର ବିକାଶ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି । ଯାହାଦ୍ବାରା ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା । ଐତିହାସିକ ରୂପାନ୍ତରଣ ଦେଖି ବି କିଛି ଲୋକ ବାରମ୍ବାର ଅପପ୍ରଚାର କରୁଛନ୍ତି ।"

ଏହା ବି ପଢନ୍ତୁ- ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସେ ଆହୁରି କହିଥିଲେ, "ସାରା ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ରୂପାନ୍ତରଣ ହୋଇଛି । ରାଜ୍ୟରେ ସବୁ କଲେଜର ରୂପରେଖ ବଦଳୁଥିବା ବେଳେ ଗରିବଙ୍କୁ ସଶକ୍ତ କରିବାକୁ ସରକାରଙ୍କ ଏଭଳି ପ୍ରୟାସ । ବର୍ତ୍ତମାନର ସରକାରଙ୍କ ପଦକ୍ଷେପ ପରେ ଗରିବ ପରିବାରର ସନ୍ତାନ ମଧ୍ୟ ଡାକ୍ତର, ଇଂଜିନିୟର, ଆଇଏଏସ କରିବାର ସ୍ବପ୍ନ ଦେଖୁଛି ଓ ତାକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ରଖୁଛି । କେବଳ ସେତିକି ନୁହେଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ବଡ଼ ହସ୍ପିଟାଲରେ ଗରିବଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ମିଳିପାରୁଥିବା ବେଳେ ରାଜ୍ୟରେ ଆମ ହସ୍ପିଟାଲ ଯୋଜନା କାର୍ଯ୍ୟକାରୀ ହୋଇଛି ।"

ସେହିପରି ପୁରୀ ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଗୁପ୍ତେଶ୍ଵରରୁ ଆଖଣ୍ଡଳମଣି ରାଜ୍ୟର ସବୁ ଐତିହ୍ୟସ୍ଥଳୀର ରୂପାନ୍ତର କରାଯାଇଛି । ସବୁ ପଞ୍ଚାୟତରେ ରହିଥିବା ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି । ଲକ୍ଷ୍ମୀ ବସ ଯୋଜନା, ରାସ୍ତା ଓ ସେତୁ ନିର୍ମାଣ ଦ୍ବାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଯଦି ଏସବୁ ରୂପାନ୍ତରଣ କିଛି ଲୋକଙ୍କୁ ଦିଶୁନି, ତେବେ ସେମାନେ ଆଖୁ ଖୋଲିବା ଦରକାର ବୋଲି ୫ଟି ଅଧ୍ୟକ୍ଷ ପାଣ୍ଡିଆନ କହିଛନ୍ତି । ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ଆଜି ଛତ୍ରପୁର ସୁନ୍ଦରେଶ୍ଵର ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ବେଳେ ସେ ଏହା କହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details