ଓଡିଶା

odisha

କାଠରେ ହକି ବିଶ୍ୱକପ୍ ସହ ମାସ୍କଟ ଓଲି ପ୍ରସ୍ତୁତ କଲେ ବ୍ରହ୍ମପୁର ଯୁବଶିଳ୍ପୀ

By

Published : Jan 14, 2023, 9:09 AM IST

ସାରା ରାଜ୍ୟରେ ହକି କ୍ରେଜ । ହକି ବିଶ୍ବକପ୍ ଚାଲିଥିବା ବେଳେ କାଠରେ ବିଶ୍ୱକପ୍ ଟ୍ରଫି ଓ ମାସ୍କଟ ଓଲି ପ୍ରସ୍ତୁତ କଲେ ବ୍ରହ୍ମପୁର ଯୁବଶିଳ୍ପୀ ।

କାଠରେ ହକି ବିଶ୍ୱକପ୍ ସହ ମାସ୍କଟ ଓଲି ପ୍ରସ୍ତୁତ
କାଠରେ ହକି ବିଶ୍ୱକପ୍ ସହ ମାସ୍କଟ ଓଲି ପ୍ରସ୍ତୁତ

କାଠରେ ହକି ବିଶ୍ୱକପ୍ ସହ ମାସ୍କଟ ଓଲି ପ୍ରସ୍ତୁତ

ବ୍ରହ୍ମପୁର: ଓଡିଶାରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହୋଇଛି ହକି ବିଶ୍ବକପ୍ । ହକି ପାଇଁ ଚିକିମିକ୍ କରୁଛି ରାଜଧାନୀରୁ ରାଉରକେଲା । ସାରା ରାଜ୍ୟରେ ହକି କ୍ରେଜ ଦେଖିବାକୁ ମିଳୁଥିବା ବେଳେ ଏହି ଅବସରରେ କାଠରେ ବିଶ୍ୱକପ୍ ଟ୍ରଫି ସହ ମାସ୍କଟ ଓଲି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ଦିଲ୍ଲୀପ ମହାରଣା । ତାଙ୍କ ଦ୍ବାରା କାଠରେ ତିଆରି ଓଲିର ଉଚ୍ଚତା ମାତ୍ର ୬ ଇଞ୍ଚ ଓ ଟ୍ରଫିର ଉଚ୍ଚତା ୫ ଇଞ୍ଚ ରହିଛି । ରାଜ୍ୟରେ ହକି ବିଶ୍ବକପ୍ ମ୍ୟାଚ ଚାଲିଥିବା ସମୟରେ ଦିଲ୍ଲୀପ ପ୍ରସ୍ତୁତ କରିଥିବା ଏହି କ୍ଷୁଦ୍ର ପ୍ରତିକୃତି ସମସ୍ତଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହୋଇଛି ।

ଯୁବଶିଳ୍ପୀ ଦିଲ୍ଲୀପ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ସର୍ବଣା ବିବେକ ଏମଙ୍କ ନିକଟରେ ପହଞ୍ଚି ଏହି ପ୍ରତିକୃତିକୁ ଦେଖାଇଛନ୍ତି । ଏସପି ଶିଳ୍ପୀଙ୍କ କଳାକୃତିରେ ଖୁସି ହେବା ସହ ତାଙ୍କୁ ଆଗାମୀ ଭବିଷ୍ୟତ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆହୁରି ଅନେକ କୀର୍ତ୍ତିମାନ ଗଢି ବ୍ରହ୍ମପୁରର ମାଟିର ନାମକୁ ବିଶ୍ଵ ଦରବାର ପହଞ୍ଚାଇବା ପାଇଁ ପ୍ରେରଣା ଦେଇଛନ୍ତି। ଏବେ ଏହି ମାସ୍କଟ ଓଲି ଏବଂ ହକି ବିଶ୍ୱକପକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି ବ୍ରହ୍ମପୁର ଯୁବଶିଳ୍ପୀ । ଏଥିସହ ଭାରତ ବିଶ୍ୱକପରେ ବିଜୟ ହାସଲ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ସାରା ରାଜ୍ୟରେ ହକି ବିଶ୍ବକପକୁ ନେଇ ଉତ୍ସାହ ଉତ୍କଣ୍ଠା ରହିଛି । ମୁଖ୍ୟତଃ ଯୁବବର୍ଗଙ୍କ ମଧ୍ୟରେ ହକି ମାନିଆ ଦେଖିବାକୁ ମିଳିଥିବା ବେଳେ ପୁରୁଷ ହକି ବିଶ୍ୱକପ ଦ୍ବିତୀୟ ଥର ଆୟୋଜନ କ୍ଷେତ୍ରରେ ଓଡ଼ିଶାର ଭୂମିକା ଏବଂ ଏହାର ଆୟୋଜନ ପଛରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ କାଠରେ କ୍ଷୁଦ୍ରତମ ହକି ମାସ୍କଟ ଓଲି ସହ ବିଶ୍ୱକପ ଟ୍ରଫିର ଏକ କ୍ଷୁଦ୍ର କଳାକୃତି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀପ । ମୁଖ୍ୟତଃ ଓଲି ହେଉଛି ଗଞ୍ଜାମର ଗୌରବ । ଏହା ଅଲିଭ ରିଡ଼ଲେ କଇଁଛ ଯାହା ସାରା ବିଶ୍ୱରେ ବିରଳ ଏବଂ ତାର ଅନ୍ୟତମ ବିଚରଣ ତଥା ପ୍ରଜନନ ଓ ଅଣ୍ଡାଦାନର କ୍ଷେତ୍ର ହେଉଛି ଗଞ୍ଜାମ ଋଷିକୂଲ୍ୟା ମୁହାଣ ।

ପୂର୍ବରୁ ଅନେକ କଳାକୃତି କରି ବିଭିନ୍ନ ପ୍ରଶଂସା ସାଉଣ୍ଟିଥିବା ଦିଲ୍ଲୀପ ବ୍ରହ୍ମପୁର ସହର ସାନ ରେଡିକା ସାହିର ଭଗବାନ ମହାରଣା ଏବଂ ଝୁନୁ ମହାରଣାଙ୍କ କନିଷ୍ଠ ପୁତ୍ର । ଏହି ଯୁବଶିଳ୍ପୀ ଏବେ ଖଲ୍ଲିକୋଟ କଲେଜର ଯୁକ୍ତ ତିନି ବାଣିଜ୍ୟ ଶେଷ ବର୍ଷର ଛାତ୍ର । ନିକଟରେ ସେ ସବୁଠାରୁ କ୍ଷୁଦ୍ରତମ ତାରାତାରିଣୀ ମନ୍ଦିର ତିଆରି କରି ଚର୍ଚ୍ଚାରେ ରହିଥିଲେ । ଯାହାକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ ।

ସେଭଳି ତାଙ୍କ ଦ୍ବାରା କାଠରେ ପ୍ରସ୍ତୁତ ବିଶ୍ୱର କ୍ଷୁଦ୍ରତମ ଶ୍ରୀମନ୍ଦିର, ମା' ଦୁର୍ଗାଙ୍କର ବିଗ୍ରହ ସହ ଭବ୍ୟ ରାମ ମନ୍ଦିର ଉଚ୍ଚ ପ୍ରଶଂସିତ ହେବା ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ, ଏସିଆ ବୁକ ଅଫ ରେକର୍ଡ୍ସ ଏବଂ ଏକ୍ସକ୍ଲୁସିଭ ୱାଲ୍ଡ ରେକର୍ଡରେ ସ୍ଥାନିତ ହୋଇପାରିଛି । ତେବେ ଏହି ଯୁବଶିଳ୍ପୀ ତାଙ୍କ ମାମୁଁ ସନ୍ୟାସୀ ମହାରଣା ଏବଂ ଭାଇ ମନୋଜ ମହାରଣାଙ୍କ ଠାରୁ ପ୍ରେରଣା ପାଇ ଏପରି କଳାକୃତି ପ୍ରସ୍ତୁତ କରିଥିବା କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details