ଓଡିଶା

odisha

ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତାପଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

By ETV Bharat Odisha Team

Published : Dec 19, 2023, 4:15 PM IST

Interim protection to BJD MLA Pratap Jena: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା । ଆସନ୍ତା ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତାପଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

interim protection to BJD MLA Pratap Jena
interim protection to BJD MLA Pratap Jena

କଟକ:ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା । ହାଇକୋର୍ଟ ଆଜି (ମଙ୍ଗଳବାର) ବିଧାୟକ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି କରି ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି । ଆସନ୍ତା ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି କୋର୍ଟ । ଏହି ତାରିଖ ପର୍ଯ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ୧୭ ତାରିଖରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସିରେ କୋର୍ଟରେ ଏହି ମାମଲା ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ।

ଏହା ବି ପଢନ୍ତୁ- ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ଅଧିକ ସମୟ ଲୋଡି ପିଟିସନ ଦାଖଲ କଲେ ମାହାଙ୍ଗା ବିଧାୟକ

ସୂଚନା ଥାଉ କି ଏହି ଘଟଣାରେ ଗତ ଅକ୍ଟୋବର ୩୧ ତାରିଖରେ ବିଧାୟକ ପ୍ରତାପଙ୍କୁ କୋର୍ଟରେ ହାଜର ହେବାକୁ ସମନ କରିଥିଲେ ସାଲେପୁର JMFC କୋର୍ଟ । ଏକ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ ଜାରି ହୋଇଥିଲା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବିଧାୟକ ପ୍ରତାପ ହାଜର ହୋଇନଥିଲେ ଏବଂ ଏଥିପାଇଁ ୩ ସପ୍ତାହ ସମୟ ମାଗିଥିଲେ । ସେହିପରି CrPCର ଧାରା ୨୦୫ରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ ପ୍ରତାପ । ଏହି ଧାରା ଅନୁଯାୟୀ ବ୍ୟକ୍ତିଗତ ହାଜିରାରୁ ବିରତି ଦେବାକୁ ସେ କୋର୍ଟରେ ପ୍ରାର୍ଥନା କରିଥିଲେ ।

୨୦୨୧ ମସିହା ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ରମାକାନ୍ତଙ୍କ ମୃତ୍ୟୁ ହୋଇସାରିଥିବାରୁ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବାକୁ ଅନୁମତି ଲୋଡି ସାଲେପୁର JMFC କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହି ଆବଦେନକୁ ଗ୍ରହଣ କରିବା ସହ ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details