ଭଦ୍ରକ:ଶ୍ମଶାନ ଜମି ଜବରଦଖଲ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଭଦ୍ରକ ଜିଲ୍ଲା ବାଲିଗାଁରେ ଶ୍ମଶାନ ଜମିକୁ ଗୋଟିଏ ଗୋଷ୍ଠୀ କବ୍ଜା କରିବାକୁ ଯାଇଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଆସି ଏହାକୁ ବିରୋଧ କରିଛି । ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଛି । ଏହି ବିବାଦ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଗୋଟିଏ ଗୋଷ୍ଠୀ ପକ୍ଷରୁ ବାଲିଗାଁର 4 ଏକର ପରିମିତ ଏକ ଶ୍ମଶାନ ଜମିକୁ ବାଡ ଦେଇ କବ୍ଜା କରୁଥିବା ସମୟରେ ଅନ୍ୟ ଏକ ଗୋଷ୍ଠୀ ଏହି କାର୍ଯ୍ୟକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା । ଗୋଷ୍ଠୀଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଜଣେ ଗର୍ଭବତୀ ଆହତ ହୋଇଛନ୍ତି । ଏହାପରେ ଗାନ୍ଧୀନଗର ଗାଁ ସମେତ ପାଖ 3ଟି ଗାଁର ଲୋକ ଏକଜୁଟ ହେବାପରେ ଜବରଦଖଲ ପାଇଁ ଆସିଥିବା ଲୋକେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।