ଓଡିଶା

odisha

ମୂର୍ତ୍ତିରଙ୍ଗ ବଦଳିଲେ ରାଗନ୍ତି ମା’, ଏମିତି ପ୍ରତ୍ୟକ୍ଷ ଠାକୁରାଣୀ ସୁନହଟର କନକ ଦୁର୍ଗା...

By

Published : Oct 8, 2021, 5:52 PM IST

Updated : Oct 8, 2021, 7:26 PM IST

ବାଲେଶ୍ଵର ଜିଲ୍ଲା ସୁନହଟ ଗାଁର ପ୍ରତ୍ୟକ୍ଷ ଦେବୀ ମାଆ କନକ ଦୁର୍ଗା । ହଇଜା ରୋଗରୁ ଗାଁକୁ ମୁକ୍ତ କରି ସେ କନକ ଦୁର୍ଗା ରୂପେ ପୂଜା ପାଉଛନ୍ତି । ବଡ କଥା ହେଉଛି ଏଠାରେ ମା' କେବଳ ସୁନେଲି ରଙ୍ଗର ମୂର୍ତ୍ତିରେ ପୂଜା ପାଆନ୍ତି । ଜାଣନ୍ତୁ କ'ଣ ରହିଛି ଏହି ପୀଠର ବିଶେଷତ୍ବ...

ମା କନକ ଦୁର୍ଗା, ଯେଉଁଠି ହୁଏ କେବଳ ସୁନେଲି ରଙ୍ଗର ମୂର୍ତ୍ତି, ହଇଜାରୁ ମୁକ୍ତି ପାଇଁ ମାଙ୍କ ଆବିର୍ଭାବ
ମା କନକ ଦୁର୍ଗା, ଯେଉଁଠି ହୁଏ କେବଳ ସୁନେଲି ରଙ୍ଗର ମୂର୍ତ୍ତି, ହଇଜାରୁ ମୁକ୍ତି ପାଇଁ ମାଙ୍କ ଆବିର୍ଭାବ

ବାଲେଶ୍ବର:ଶରତ ଆଗମନ ସହ ଧରାବତରଣ କରିଛନ୍ତି ମା ଦୁର୍ଗା । ମା'ଙ୍କୁ ସ୍ବାଗତ କରୁଛି ଧରଣୀରାଣୀ । ଭକ୍ତମାନେ ମଧ୍ୟ ମା'ଙ୍କ ଆଗମନରେ ବେଶ୍ ପ୍ରଫୁଲ୍ଲିତ । ସେପଟେ ମା'ଙ୍କ ପୂଜା ପାଇଁ ବିଭିନ୍ନ ମଣ୍ଡପରେ ଚାଲିଛି ସାଜସଜ୍ଜା । ଏହାସାଙ୍ଗକୁ ସମସ୍ତ ପୂଜା ନୀତି ପାଇଁ ମଧ୍ୟ ଭକ୍ତମାନେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ବିଭିନ୍ନ ମଣ୍ଡପରେ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଦିଆଯାଉଛି ଶେଷ ସ୍ପର୍ଶ । ସମାନ ଭାବେ ବାଲେଶ୍ଵର ସୁନହଟ ଗାଁରେ ମା' କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଅଞ୍ଚଳ । କନକ ଦୁର୍ଗାଙ୍କ ପୂଜା କମିଟି ପକ୍ଷରୁ ଅଞ୍ଚଳବାସୀଙ୍କ ସହଯୋଗରେ ପୂଜା ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ 79 ବର୍ଷରେ ପହଞ୍ଚିଛି ଏହି ପୂଜା କମିଟି ।

ମୂର୍ତ୍ତିରଙ୍ଗ ବଦଳିଲେ ରାଗନ୍ତି ମା’

ମାଆ କନକ ଦୁର୍ଗା ଦୀର୍ଘ ବର୍ଷ ହେଲା ସୁନହଟ ଗାଁରେ ପୂଜା ପାଇଆସୁଛନ୍ତି । କୁହାଯାଏ, ୧୯୪୩ ମସିହାରେ ଉକ୍ତ ଅଞ୍ଚଳରେ ହଇଜା ରୋଗ ବ୍ୟାପିଥିଲା । ଯେଉଁଆଡ଼େ ଚାହିଁଲେ ଖାଲି କୁଢ଼କୁଢ଼ ମୃତଦେହ । କେମିତି ଏହି ବିପଦରୁ ମୁକ୍ତି ମିଳିବ ସେନେଇ ଲୋକେ ବେଶ ଚିନ୍ତିତ ଥିଲେ । ଏହି ସମୟରେ ଅଞ୍ଚଳର ଜଣେ ବରିଷ୍ଠ ବ୍ୟକ୍ତି ସ୍ବର୍ଗତ ମୁରଲୀ ମୋହନ ଦାସଙ୍କୁ ସ୍ବପ୍ନାଦେଶ ହୋଇଥିଲା । ମା' କନକ ଦୁର୍ଗାଙ୍କୁ ପୂଜା କରିବା ପାଇଁ ସ୍ବପ୍ନରେ ନିର୍ଦ୍ଦେଶ ହୋଇଥିଲା । ମା'ଙ୍କ ମୂର୍ତ୍ତି କେବଳ ସୁନେଲି ରଙ୍ଗରେ ହେବ ବୋଲି ନିର୍ଦ୍ଦେଶ ରହିଥିଲା ମଧ୍ୟ । ପରବର୍ତ୍ତୀ ସମୟରେ ସେଇୟା ହିଁ ହେଲା । ମାଙ୍କ ପୂଜାର୍ଚ୍ଚନା ନିର୍ଦ୍ଦେଶ ଅନୁସାରେ କରାଗଲା । ଏହାପରେ ଚମତ୍କାର ଭାବେ ହଇଜା କବଳରୁ ରକ୍ଷା ପାଇଥିଲେ ଗ୍ରାମବାସୀ । ବାସ୍ ସେହିଦିନ ଠାରୁ ଏଠାରେ ମାଆ କନକ ଦୁର୍ଗା କେବଳ ସୁନେଲି ରଙ୍ଗର ପ୍ରତିମା ଭାବେ ପୂଜା ପାଇଆସୁଛନ୍ତି । ସୁନେଲି ରଙ୍ଗ ବଦଳରେ ଗୋଟିଏ ବର୍ଷ ମା'ଙ୍କ ମୂର୍ତ୍ତିରେ ଅନ୍ୟ ରଙ୍ଗର ପ୍ରଲେପ ଦିଆଯାଇଥିଲା । ମାତ୍ର ରଙ୍ଗ ପରିବର୍ତ୍ତନ ନ କରିବା ପାଇଁ ପୁଣି ସ୍ବପ୍ନାଦେଶ ହୋଇଥିଲା । ଏଥିପାଇଁ କୌଣସି ବର୍ଷ ମା'ଙ୍କ ମୂର୍ତ୍ତି ରଙ୍ଗ କେବେ ବି ପରିବର୍ତ୍ତନ ହୋଇନାହିଁ । ସେହି ଗୋଟିଏ ରଙ୍ଗ ସୁନେଲି ହିଁ ଚାଲିଆସୁଛି । ଏହାସହ ଏଠାରେ ପୂଜାର୍ଚ୍ଚନା ସମ୍ପୂର୍ଣ୍ଣ ଭାବେ ଘରୋଇ ପୂଜା ଭଳି ହୋଇଥାଏ ।

ମା' କନକ ଦେବୀଙ୍କ ପୂଜା ଟିକେ ନିଆରା । ଅଷ୍ଟମୀ ପୂଜାରେ ପୂଜକ ଓ ମା ଏକାକାର ହୋଇଯାଆନ୍ତି । ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ମାନସିକ ନେଇ ମା କନକ ଦୁର୍ଗାଙ୍କ ପାଖକୁ ଦୌଡ଼ି ଆସନ୍ତି। କୁହାଯାଏ, ଏଠାରେ ଯିଏ ଯାହା ମାନସିକ କରେ, ତାହା ପୂରଣ କରନ୍ତି ମାଆ । ସେଥିପାଇଁ ଦୂରଦୂରାନ୍ତରୁ ଅନେକ ଭକ୍ତ ସେମାନଙ୍କ ଦୁଃଖ ନେଇ ମାଙ୍କ ପାଖକୁ ଆସିଥାନ୍ତି । ମାନସିକ ପୁରଣ ହେବା ପରେ ମା'ଙ୍କ ପୂଜାରେ ନିଜକୁ ସାମିଲ କରନ୍ତି । ଏବେ କମିଟି ଦ୍ବାରା ମାଙ୍କ ପୂଜା ପରିଚାଳନା କରାଯାଉଛି । ପୂଜା କମିଟି ଅଞ୍ଚଳ ମଧ୍ୟରେ ୫ ହଜାରରୁ ଅଧିକ ପରିବାର ରହୁଥିବା ବେଳେ ଲୋକସଂଖ୍ୟା କିନ୍ତୁ ୧୦ ହଜାରରୁ ଅଧିକ ହେବ । ପାଖାପାଖି ୨୦୦ରୁ ଅଧିକ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନ ରହିଛି। କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ସହଯୋଗରେ ପୂଜା ହୋଇଥାଏ । ପୂଜା ସହିତ କମିଟି ଦ୍ବାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଏ । ଅଞ୍ଚଳର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରାଯାଇଥାଏ । ଏହା ସହିତ ରକ୍ତଦାନ ଶିବିର, ସ୍ଵାସ୍ଥ୍ୟ ଶିବିର, ସ୍ବଚ୍ଛତା ଅଭିଯାନ ସହ ଅସହାୟତାଙ୍କୁ ସହାୟତା ପ୍ରଦାନ କରାଯାଏ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 8, 2021, 7:26 PM IST

ABOUT THE AUTHOR

...view details