ଓଡିଶା

odisha

ପୁଣି ସାତକୋଶିଆକୁ ଆସିବ ମହାବଳ ବାଘ, ଚାଲିଛି କ୍ଷେତ୍ର ପ୍ରସ୍ତୁତି

By

Published : May 26, 2023, 3:42 PM IST

ପୁଣି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବୁଲିବେ ମହାବଳ ବାଘ। ଏଥିପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ସମସ୍ତ ପ୍ରସ୍ତୁତି। ଏନଟିସିଏ କର୍ତ୍ତୃପକ୍ଷ ଘନ ଘନ ସାତକୋଶିଆ ଗସ୍ତ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି । ଏନଟିସିଏର ସବୁ ଗାଇଡ୍‌ଲାଇନ୍‌ ଶେଷ ହେବା ପରେ ବାଘ ଆଣିବାକୁ ଯୋଜନା ଚାଲିଛି । ଅଧିକ ପଢନ୍ତୁ

Royal Bengal Tiger return satkosia
Royal Bengal Tiger return satkosia

Royal Bengal Tiger return satkosia

ଅନୁଗୋଳ:ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲକୁ ପୁଣି ଫେରିବ ମହାବଳ ବାଘ । ଦେଶର ପ୍ରଥମ ଆନ୍ତ ରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଯେଉଁ କିଛି କାରଣ ପାଇଁ ବନ୍ଦ ରହିଥିଲା ଏବେ ତାହା କଯ୍ୟକାରୀ ହେବା ନେଇ ଆଶା ସଞ୍ଚାର ହୋଇଛି । କାହିଁକି ନା କ୍ଷେତ୍ର ପ୍ରସ୍ତୁତିରେ ଯେଉଁ ସବୁ ତ୍ରୁଟି ବିଚ୍ୟୁତ ରହିଥିଲା ସେଥିରେ ଏବେ ସୁଧାର ଅଣା ଯାଉଛି । କୋର ଏରିୟା ମଧ୍ୟରେ ଥିବା ଗାଁଗୁଡିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଛି । ପ୍ରଥମେ ରାଇଗୁଡା ଓ ଏବେ କଟରଙ୍ଗ ଗାଁ'କୁ ଉଚ୍ଛେଦ କରାଯାଇଛି । ଏହା ବ୍ୟତିତ ଅସନବାହାଳି ଟୁଲୁକା, ଭୁରକୁଣ୍ଡି ଆଦି ଗାଁ କୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି ।

ଯେଉଁ ଏନଟିସିଏ ଏହି ବ୍ୟାଘ୍ର ପ୍ରକଳ୍ପକୁ ଅସ୍ଥାୟୀ ରୂପେ ବନ୍ଦ କରିଥିଲା, ସେହି ଏନଟିସିଏ (NTCA) ଅଧିକାରୀମାନେ ସାତକୋଶିଆକୁ ଘନଘନ ଗସ୍ତ କରୁଛନ୍ତି । ନିକଟରେ ଏନଟିସିଏର ମେମ୍ବର ସେକ୍ରେଟାରୀ ତଥା ଏଡିଜି, ଏସପି ଯାଦବ ଓ ତାଙ୍କ ଟିମ୍‌ ଆସି ଅନୁଗୋଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାସନ ଓ ବନ ବିଭାଗ କିଭଳି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ସେନେଇ ଆଲୋଚନା କରିବା ସହ ଚାଲିଥିବା କ୍ଷେତ୍ର ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଟିମ୍‌ । ଏନେଇ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ । ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଚୁକ୍ତି ଅନୁସାରେ ଆଗାମୀ ଦିନରେ ଆହୁରି 2 ଯୋଡ଼ା ବାଘ ଆଣିବାକୁ ବିଭାଗ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ଚୁକ୍ତି ଅନୁସାରେ 3 ଯୋଡ଼ା ବାଘ ଆଣିବାର ପ୍ରସ୍ତାବ ରହିଛି । ପ୍ରଥମ ପର୍ଯ୍ୟାୟରେ ଏକ ଯୋଡ଼ା ବାଘ ଓ ବାଘୁଣୀ ଆଣା ଯାଇଥିବା ବେଳେ ଫାସରେ ପଡି ବାଘରମୃତ୍ୟୁ ଓ ବାରମ୍ବାର ମଣିଷ ଶିକାର କରିବା ପରେ ବାଘୁଣୀକୁ ଫେରାଇ ନିଆଯାଇଥିଲା ।

ସାତକୋଶିଆକୁ ପୁଣି ବାଘ ଆସିବେ । ପୁଣି ଆରମ୍ଭ ହେବ ଦେଶର ପ୍ରଥମ ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ । ତେବେ ଏନେଇ ସ୍ଥାନୀୟ ଲୋକେ ନିଜର ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ବିଭାଗର ଅପାରଗତା ଓ ପରିଚାଳନା ଗତ ତ୍ରୁଟିକୁ ଦାୟୀ କରିଛନ୍ତି । ଯାହାପାଇଁ ଆସିଥିବା ବାଘମାନେ ସୁରକ୍ଷିତ ରହି ପାରିଲେ ନାହିଁ । ଶିକାର ଫାସରେ ପଡି ବାଘର ମୃତ୍ୟୁକୁ ନେଇ ଲୋକେ ସମାଲୋଚନା କରିଛନ୍ତି । ଏହା ବ୍ୟତିତ ଯେଉଁ ବାଘୁଣୀ ଜଙ୍ଗଲରେ ନ ରହି ଜନବସତି ମୁହାଁ ହେଲା ଆଉ ତାର ଆକ୍ରମଣରେ ଦୁଇ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହେଲା ସେଥିପାଇଁ ବିଭାଗୀୟ ଦାୟିତ୍ଵ ହୀନତାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି ।

ଯଦି ପୁଣି ବାଘ ଅଣାଯାଏ ଓ ତାକୁ ଠିକରେ ପରିଚାଳନା କରା ନା ଯାଏ ତେବେ ପୂର୍ବ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରିଛନ୍ତି ଲୋକେ । ତେଣୁ ବିଭାଗ ବାଘ ଆଣନ୍ତୁ କିନ୍ତୁ ତାର ସୁରକ୍ଷା ବି ସୁନିଶ୍ଚିତ କରାଯାଉ । କାରଣ ସୁରକ୍ଷା ନ ମିଳିବାରୁ ଦିନ ଥିଲା ସାତକୋଶିଆରେ 30 ମହାବଳ ବାଘ ଥିଲେ । କିନ୍ତୁ କାଳକ୍ରମେ ଏବେ ବାଘ ଶୂନ୍ୟ ହୋଇଛି ସାତକୋଶିଆ । ଯଦି ବିଭାଗ ନିଜର ପୁରୁଣା ଭୁଲକୁ ସୁଧାରି ଲୋକଙ୍କ ସହ ଆଲୋଚନାରେ ଓ ସହମତିରେ ଏହି ପ୍ରକଳ୍ପକୁ ଆଗେଇ ନେବ ତେବେ ଏହା ଦେଶରେ ନାଁ କରିବ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details