ଟୋକିଓ: ଟୋକିଓ ଅଲମ୍ପିକ୍ସ ଷ୍ଟାଡିୟମରେ ଆରମ୍ଭ ହେଲା ପାରାଲମ୍ପିକ୍ସର ଉଦଘାଟନ ମହାସମାରୋହ । ଟୋକିଓ ପାରାଲମ୍ପିକ୍ସରେ ୧୬୩ ଦେଶର ୪୪୦୦ରୁ ଅଧିକ କ୍ରୀଡ଼ାବିତ ଭାଗ ନେଇଛନ୍ତି । ଭାରତ ପକ୍ଷରୁ ୫୪ ଜଣ ଆଥଲେଟ ଟୋକିଓ ଗସ୍ତ କରିଛନ୍ତି । ଉଦଘାଟନୀ ସମାରୋହରେ ଭାରତର ଧ୍ବଜା ବାହାକ ସାଜିଥିଲେ ଜାଭେଲିନ ଥ୍ରୋ' ଖେଳାଳି ଟେକ ଚାନ୍ଦ । ଏହାସହ ଟୋକିଓ ପାରାଲମ୍ପିକ୍ସ ୨୦୨୦ର ବିଗୁଲ ବାଜି ସାରିଛି । ପଦକ ପାଇଁ ବ୍ୟଗ୍ର ଥିବା କ୍ରୀଡାବିତମାନଙ୍କ ପରାକ୍ରମ ଦେଖାଇବା ସମୟ ଆସିଛି ।
ଭବ୍ୟ ସମାରୋହରେ ଟୋକିଓ ପାରାଲମ୍ପିକ୍ସକୁ କ୍ରୀଡ଼ାବିତଙ୍କୁ ସ୍ବାଗତ କରାଯାଇଛି । ସଙ୍ଗୀତ ସମାରୋହର ନାଚ ମଧ୍ୟରେ ସମସ୍ତ ଦେଶର କ୍ରୀଡ଼ାବିତ ଅଲମ୍ପିକ୍ସ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ । ଅଲମ୍ପିକ୍ସ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ବେଳେ କ୍ରୀଡ଼ାବିତଙ୍କ ମନରେ ଅସୀମ ଉତ୍ସାହ ଦେଖିବାକୁ ମିଳିଥିଲା । ଅଗଷ୍ଟ ୨୫ ତାରିଖରୁ ଭାରତୀୟ ପାରାଲମ୍ପିଆନ ନିଜ ଅଭିଯାନ ଆରମ୍ଭ କରିବେ । ଟେବୁଲ ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ସୋନାଲବେନ ପଟେଲ ଓ ଭାବିନା ପଟେଲ ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ ।