ନୂଆଦିଲ୍ଲୀ:ରୋହନ ବୋପାନ୍ନାଙ୍କ ରେକର୍ଡ । ଜାରି ରହିଥିବା ଇଣ୍ଡିଆନ ୱେଲ୍ସ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା । ଅଷ୍ଟ୍ରେଲୀୟ ସାଥୀ ଖେଳାଳି ମାଥ୍ୟୁ ଏବଡେନଙ୍କ ସହ ବୋପାନ୍ନା ପୁରୁଷ ଯୁଗଳ ଟାଇଟଲ ହାତେଇଛନ୍ତି । ଏହା ସହ ବୋପାନ୍ନା ATP ମାଷ୍ଟର୍ସ 1000 ଟ୍ରଫି ଜିତିବାରେ ବୟୋଜ୍ୟେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ରବିବାର ଅନୁଷ୍ଠିତ ଡବଲ୍ସର ଫାଇନାଲ ମୁକାବିଲାରେ 6-3, 2-6, 10-8 ସେଟରେ ନେଦରଲାଣ୍ଡସର ୱେସଲି କୁଲହଫ ଓ ବ୍ରିଟେନର ନିଲ ସ୍କୁପସ୍କିଙ୍କୁ ପରାସ୍ତ କରି ଚମ୍ପିଅନ ହୋଇଛନ୍ତି । 43 ବର୍ଷୀୟ ରୋହନ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ଯିଏକି ଏଟିପି ମାଷ୍ଟର 1000 ଟ୍ରଫି ଜିତିଛନ୍ତି । ରୋହନ ବୋପାନ୍ନା ତାଙ୍କ କ୍ରୀଡା ଜୀବନରେ 10ମ ଏଟିପି ମାଷ୍ଟର୍ସ 1000 ଫାଇନାଲ ଖେଳିବାର ସଫଳତା ହାସଲ କରିଛନ୍ତି । ଏହି କ୍ରମରେ ବୋପାନ୍ନା କାନାଡାର ଡାନିଏଲ ନେଷ୍ଟୋରଙ୍କୁ ପଛରେ ପକାଇଛନ୍ତି ।
42 ବର୍ଷ ପରେ ପୁଣି ଚାମ୍ପିଅନ ହୋଇଥିବାରୁ ଖୁସି ଜାହିର କରିଛନ୍ତି ରୋହନ । ନିଜର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିବା ସହ ବିଜୟ ସ୍ବତନ୍ତ୍ର ବୋଲି କହିଛନ୍ତି । ବୋପାନ୍ନା 5ମ ମାଷ୍ଟର୍ସ ଟାଇଟଲ ଅର୍ଜନ କରିଛନ୍ତି । ଏହା ପୂର୍ବରୁ 2017ରେ ମୋଣ୍ଟୋ କାର୍ଲୋରେ ମାଷ୍ଟର୍ସ ଟାଇଟଲ ଜିତିଥିଲେ । ଆମେରିକା ଯୋଡି ଜ୍ୟାକ ସକ ଓ ଜନ ଇସ୍କରଙ୍କୁ 7-6,7-6 ସେଟରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଥିଲେ ରୋହନ ଓ ଏବଡେନ । କ୍ବାର୍ଟରରେ ଏହି ଯୋଡି କାନାଡାର ଫେଲିକ୍ସ ଓ ଡେନିସ ସାପୋପାଲୋଭଙ୍କୁ ହରାଇ ସେମିରେ ସ୍ଥାନ ପକ୍କା କରିଥିଲେ ।