ETV Bharat / sports

ମିଚେଲ ଷ୍ଟାର୍କଙ୍କ ବୋଲିଂ ଆଗରେ ଭାରତୀୟ ବ୍ୟାଟରଙ୍କ ଆତ୍ମସମର୍ପଣ, ଏମିତି କହିଲେ ରୋହିତ

author img

By

Published : Mar 19, 2023, 10:59 PM IST

ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତୀୟ ବ୍ୟାଟର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସ୍ବୀକାର କଲେ ଅଧିନାୟକ ରୋହିତ ଶର୍ମା । ଭାରତୀୟ ବ୍ୟାଟର ମିଚେଲ ଷ୍ଟାର୍କଙ୍କ ଆଗରେ ନିଜର ଅନୁଭବ ଦେଖାଇବା ବଦଳରେ ଆତ୍ମସମର୍ପଣ କରଦେଇଥିବା ସ୍ବୀକାର କରିଛନ୍ତି ନିଜେ ଭାରତୀୟ ଅଧିନାୟକ । ଅଧିକ ପଢ଼ନ୍ତୁ

ମିଚେଲ ଷ୍ଟାର୍କଙ୍କ ବୋଲିଂ ଆଗରେ ଭାରତୀୟ ବ୍ୟାଟରଙ୍କ ଆତ୍ମସମର୍ପଣ
ମିଚେଲ ଷ୍ଟାର୍କଙ୍କ ବୋଲିଂ ଆଗରେ ଭାରତୀୟ ବ୍ୟାଟରଙ୍କ ଆତ୍ମସମର୍ପଣ

ବିଶାଖାପାଟଣା: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତୀୟ କ୍ରିକେଟରଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କଙ୍ଗାରୁ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ ସମସ୍ତ ଭାରତୀୟ ବ୍ୟାଟର । ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ବୋଲରଙ୍କର ମଧ୍ୟ ସେଭଳି ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଫଳରେ ଦ୍ବିତୀୟ ଦିନିକିଆକୁ ୧୦ ୱିକେଟରେ ଜିତି ନେଇଛି କଙ୍ଗାରୁ ଦଳ । ତେବେ ଭାରତୀୟ ବ୍ୟାଟର ମିଚେଲ ଷ୍ଟାର୍କଙ୍କ ଆଗରେ ନିଜର ଅନୁଭବ ଦେଖାଇବା ବଦଳରେ ଆତ୍ମସମର୍ପଣ କରଦେଇଥିବା ସ୍ବୀକାର କରିଛନ୍ତି ନିଜେ ଭାରତୀୟ ଅଧିନାୟକ ରୋହିତ ଶର୍ମା ।

ପ୍ରଥମ ମୁକାବିଲାରେ ମଧ୍ୟ ଭାରତର ଟପ ଅର୍ଡର ବ୍ୟାଟର ସ୍କୋର କରିବାରେ ଫେଲ ମାରିଥିଲେ । କିନ୍ତୁ ଖରାପ ଫର୍ମ ଦେଇ ଗତି କରୁଥିବା ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଭାଗିଦାରୀ ବଳରେ ଭାରତ ମ୍ୟାଚ୍‌ ଜିତି ନେଇଥିଲା । କିନ୍ତୁ ଦ୍ବିତୀୟ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ବଲକୁ କୌଣସି ଭାରତୀୟ ବ୍ୟାଟର କିମ୍ବା ଅଲରାଉଣ୍ଡର ସାମ୍ନା କରିପାରି ନଥିଲେ । ଆଜିର ମ୍ୟାଚ୍‌ରେ ୮ ୱିକେଟ ବୋଲିଂ କରି ୫୩ ରନ ବ୍ୟୟରେ ୫ ୱିକେଟ ସଫଳତା ହାସଲ କରିଥିଲେ ଷ୍ଟାର୍କ । ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୯ ପାଳି ଖେଳି ନବମ ଥର ପାଇଁ ୫ ୱିକେଟ ସଫଳତା ହାସଲ କରିଥିଲେ ସେ । ତେବେ ରବିବାର ବିଶାଖାପାଟଣାରେ ଖେଳାଯାଇଥିବା ମ୍ୟାଚ୍‌ରେ ପିଚ୍‌ ନିଶ୍ଚିତ ଭାବେ ବ୍ୟାଟରଙ୍କୁ ସୁହାଇବା ଭଳି ପିଚ୍‌ ଥିଲା । କିନ୍ତୁ ଭାରତୀୟ ବ୍ୟାଟର ଭଲ ଖେଳିପାରିନଥିବା ସ୍ବୀକାର କରିଛନ୍ତି ନିଜେ ଅଧିନାୟକ ରୋହିତ ଶର୍ମା ।

ରୋହିତ କହିଛନ୍ତି, "ଷ୍ଟାର୍କ ଜଣେ ପ୍ରଭାବଶାଳୀ ବୋଲର । ଅଷ୍ଟ୍ରେଲିଆ ପାଇଁ ସେ ବହୁ ବର୍ଷରୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରି ଆସୁଛନ୍ତି । ସେ ନିଜ ଦକ୍ଷତା ଅନୁସାରେ ସବୁବେଳେ ଭଲ ପ୍ରଦର୍ଶନ କରିଆସୁଛନ୍ତି ଓ ଆମେ ଲଗାତାର ଭାବେ ତାଙ୍କ ଆଗରେ ବିଫଳ ହେଉଛୁ । ଆମକୁ ଏହି କଥା ବୁଝି ଆଗକୁ ଖେଳିବାକୁ ପଡ଼ିବ । ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୧୧୭ ରନ ଯଥେଷ୍ଟ ନୁହେଁ । ଏଭଳି ପ୍ରଦର୍ଶନ ନିଶ୍ଚିତ ଭାବେ ନୈରାଶ୍ୟଜନକ । ଆମେ ଯେ ଆମ କ୍ଷମତା ଅନୁସାରେ ଖେଳିନାହୁଁ, ଏଥିରେ କିଛି ସନ୍ଦେହ ନାହିଁ । ଆମେ ଜାଣିଥିଲୁ ଯେ ଏହି ପିଚ ୧୧୭ ରନ ସ୍କୋର କରିବା ଭଳି ପିଚ ନଥିଲା ।" ପ୍ରଥମ ମ୍ୟାଚ୍‌ରେ ଅନୁପସ୍ଥିତ ଥିଲେ ରୋହିତ । ବ୍ୟକ୍ତିଗତ କାରଣରୁ ସେ ଏହି ମ୍ୟାଚ୍‌ ଖେଳିପାରି ନଥିଲେ । ତେବେ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ଓ ଭାରତୀୟ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ବୋଲି କହିଛନ୍ତି ରୋହିତ । ତେବେ ଆଜିର ମ୍ୟାଚ୍ ପରେ ଶୃଙ୍ଖଳା ୧-୧ରେ ବରାବର ରହିଛି । ଶୃଙ୍ଖଳା ହାତେଇବା ପାଇଁ ୨୨ ମାର୍ଚ୍ଚରେ ତୃତୀୟ ତଥା ଶେଷ ଦିନିକିଆରେ ଚେନ୍ନାଇରେ ମୁହାଁମୁହିଁ ହେବେ ଉଭୟ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.