ଭୁବନେଶ୍ବର:ବର୍ଷ 2008 । ବେଜିଂ ଅଲମ୍ପିକ ପାଇଁ ପ୍ରସ୍ତୁତ ହେଉଥାନ୍ତି ସବୁ ଦେଶ । ଆଉ ଏହି ସମୟରେ ଭାରତ ପାଇଁ ଆସିଥିଲା ଏକ ଦୁଃଖଦ ଖବର । ଅଲମ୍ପିକ ଇତିହାସର ସବୁଠୁ ସଫଳ ହକି ଦଳ ଭାରତ ବେଜିଂ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା । ବିଶ୍ବକ୍ରୀଡା ମହାକୁମ୍ଭରେ 8ଟି ସ୍ବର୍ଣ୍ଣ ପଦକ ଜିତିଥିବା ଦଳ ଯୋଗ୍ୟତା ଅର୍ଜନରେ ଫେଲ ମାରିବା ପରେ ଦେଶରେ ଏକ ପ୍ରକାର ହକିର ପତନ ଆରମ୍ଭ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା ।
କିନ୍ତୁ ଆଜି ସମୟ ବଦଳି ଯାଇଛି । ସେହି ହକି ଟିମ୍ ପାଇଁ ଆଜି ଝୁମୁଛନ୍ତି, ନାଚୁଛନ୍ତି ଏବଂ ଖୁସିରେ ଆତ୍ମହରା 130 କୋଟି ଦେଶବାସୀ । ନା ଅଛି ଖୁସିର ସୀମା-ସରହଦ ନା ଥମୁଛି ହକି ପାଇଁ ଫ୍ୟାନ୍ସଙ୍କ ସେଲିବ୍ରେସନ । ଗାଁଠୁ ସହର ସବୁଠି ହକି ଫିଭର । କ୍ରିକେଟ ପାଇଁ ଦିଓ୍ବାନା ଦେଶରେ ଅଚାନକ୍ ହକି କ୍ରେଜ୍ । ଆଉ ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛା ସୁଅ । ‘ଫିର୍ ଦିଲ୍ ଦେ ଦୋ ହକି କୋ, ‘ଚକ୍ ଦେ ଇଣ୍ଡିଆ’ । ଏଭଳି ଲକ୍ଷ ଲକ୍ଷ ଟ୍ବିଟରେ ସାମାଜିକ ଗଣମାଧ୍ଯମରେ ସୃଷ୍ଟି ହୋଇଛି ବନ୍ୟା ।
ହେଲେ ହଠାତ୍ କାହିଁକି ସମସ୍ତେ ହକି ପ୍ରେମରେ ଗଦଗଦ ? ଆଉ ହକିର ଏହି ଐତିହାସିକ ସଫଳତା ପଛରେ କିଏ ? ଏଭଳି ପ୍ରଶ୍ନ ମଧ୍ୟ ମନରେ ଉଙ୍କି ମାରିବା ସ୍ବଭାବିକ । ଦୀର୍ଘ 41 ବର୍ଷ ପରେ ବିଶ୍ବ କ୍ରୀଡା ମହାକୁମ୍ଭରେ ସେମିରେ ପହଞ୍ଚିଛି ଭାରତୀୟ ହକି ଟିମ୍ । 1980 ମସିହା ପରେ ଅଲମ୍ପିକର ବଡ ଇଭେଣ୍ଟରେ ପହଞ୍ଚିଛି ଉଭୟ ଦଳ । ହେଲେ ଏ ସଫଳତା ଏତେ ସହଜ ନଥିଲା, ଉଭୟ ଖେଳାଳି ଏବଂ ହକି ମହାସଂଘ ପାଇଁ । ତେବେ ହକିର ସବୁଠୁ ଖରାପ ସମୟରେ ସାଥ ଦେଇଥିଲେ ହକି ପ୍ରେମୀ ସିଏମ୍ ନବୀନ ପଟ୍ଟନାୟକ ।
ବର୍ଷ 2018 । ଦେଶରେ ହକିର ହୋଇଥିଲା ନୂତନ ସୂର୍ଯ୍ୟୋଦୟ । କ୍ରିକେଟ ପାଇଁ ପାଗଳ ଦେଶରେ ସମସ୍ତେ କ୍ରିକେଟ ପଛରେ ଧାଉଁ ଥିବାବେଳେ ହକି ପାଇଁ ନୂଆ ରାସ୍ତା ନିର୍ମାଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ଏହି ଗୌରବମୟ କ୍ରୀଡା ପାଇଁ କୌଣସି ରାଜ୍ୟ ସରକାର କିମ୍ବା ବେସରକାରୀ ସଂସ୍ଥା ସହାୟତାର ହାତ ବଢାଇନଥିବାବେଳେ ହକିର ପୁନଃଉଦ୍ଧାର ପାଇଁ ଅଣ୍ଟା ଭିଡିଥିଲେ ନବୀନ । 2018ରେ ଆଗାମୀ 5 ବର୍ଷ ପାଇଁ ହକି ଇଣ୍ଡିଆ ସହିତ ଉଭୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରାୟୋଜକ ହୋଇଥିଲା ଓଡିଶା । 150 କୋଟିର ଡିଲ ହୋଇଥିଲା ହକି ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ । ଆଉ ଏହି ଚୁକ୍ତି ପରେ ନବୀନ କହିଥିଲେ, ଦେଶ ପାଇଁ ଏହା ଓଡିଶାର ଉପହାର ।
ରାଜ୍ୟ ହକିର ଏନ୍ତୁଡିଶାଳ ଭାବେ ପରିଚିତ ସହରରେ ହକିର ବିକାଶ ପାଇଁ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର କୋଣ ଅନୁକୋଣରୁ ଟ୍ୟାଲେଣ୍ଟ ହଣ୍ଟ ମାଧ୍ୟମରେ ପ୍ରତିଭାସମ୍ପନ୍ନ ଉଦୀୟମାନ ଖେଳାଳିଙ୍କୁ ଚିହ୍ନଟ କରି ଅନ୍ତର୍ଜାତୀୟ ସ୍ତରର ପ୍ରଶୀକ୍ଷଣ ଏବଂ ବିଶ୍ବସ୍ତରୀୟ ଭିତ୍ତିଭୂମି ଉନ୍ନତି ପାଇଁ ହାତକୁ ନେଇଥିଲେ ଅନେକ କାର୍ଯ୍ୟକ୍ରମ । ଏପରିକି ରାଜ୍ୟ ସରକାର ମଧ୍ୟ ରାଜ୍ୟର 14ଟି ସ୍ଥାନରେ ଆଷ୍ଟ୍ରୋ-ଟର୍ଫ (astro-turfs) ନିର୍ମାଣ କରୁଛନ୍ତି । ଏହା ସହିତ ଅଲମ୍ପିକ୍ ମେଡାଲ ପାଇଁ ଅର୍ଥରାଶି ଘୋଷଣା କରିଛନ୍ତି । ଗୋଲ୍ଡ ଜିତିଲେ 6 କୋଟି ପୁରସ୍କାର ଦେବେ ରାଜ୍ୟ ସରକାର । ଆଉ ରାଜ୍ୟ ମଧ୍ୟ ଏକାଧିକ ନ୍ୟାସନାଲ ଇଭେଣ୍ଟ, ହିରୋ ଆଇ-ଲିଗ୍ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଆୟୋଜନ କରିସାରିଛି । FIH Men’s Hockey World Cup ର ଆୟୋଜନ ମଧ୍ୟ ରାଜ୍ୟ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲା । World Cup କ୍ରେଜ ଦେଖିବାକୁ ମିଳିଥିଲା ଏବଂ ବହୁତ ସଂଖ୍ୟକ ଲୋକ କ୍ରୀଡା ଆୟୋଜନକୁ ଉପଭୋଗ କରିଥିଲେ । ତେବେ ଆସନ୍ତା ବର୍ଷ ହେବାକୁ ଥିବା AFC Women’s Asian Cup ଆୟୋଜନ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।
ଖାଲି ସେତିକି ନୁହେଁ, ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମର ଉନ୍ନତିକରଣ ଏବଂ ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି । ରାଉରକେଲା ଷ୍ଟାଡିୟମରେ 356.38 କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏଠାରେ 20 ହଜାର ଦର୍ଶକ ଏକାଠି ବସି ହକି ଉପଭୋଗ କରିପାରିବେ । 20ଟି କ୍ରୀଡା ହଷ୍ଟେଲ, ସବୁ ବ୍ଲକ ଏବଂ ଅର୍ବାନ ଏରିଆରେ ସ୍ପୋର୍ଟ୍ସ ପାଇଁ ହାଇ ପରଫରମାନ୍ସ ସେଣ୍ଟରମାନ ନିର୍ମାଣ ହେଉଛି ।