ଭୁବନେଶ୍ବର:ଓଡିଶା ଉଭୟ ମହିଳା ଓ ପୁରୁଷ ହକି ଦଳକୁ ମିଳିଲେ ନୂଆ ପ୍ରଶିକ୍ଷକ । ଓଡିଶା ହକି ଦଳର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଏଫଆଇଏଚ ଲେଭଲ-୨ ମାନପତ୍ର ଧାରୀ ଏଡଗର ମାସ୍କରେନହାସ ନୂଆ କୋଚ ଭାବରେ ନିଯୁକ୍ତ ହୋଇଛନ୍ତି । ହକି ଇଣ୍ଡିଆ ପକ୍ଷରୁ ହେବାକୁ ଥିବା ଆଗାମୀ ଜାତୀୟ ପ୍ରକିଯୋଗିତା ପୂର୍ବରୁ ମୁ୍ମ୍ବାଇର ମାସ୍କରେନହାସଙ୍କୁ ଏହି ନିଯୁକ୍ତି ମିଳିଛି ।
ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଜଣେ ଗୋଲକିପର ଭାବେ ଏୟାର ଇଣ୍ଡିଆ, ମହାରାଷ୍ଟ୍ର ଓ ଭାରତୀୟ ଦଳ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି ମାସ୍କରେନହାସ । ୧୯୯୫ ସାଫ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ସେହିପରି ୧୯୯୬ ଅଲିମ୍ପିକ୍ସ କ୍ବାଲିଫାୟର ଏବଂ ଇନ୍ଦିରା ଗାନ୍ଧୀ ଗୋଲ୍ଡ କପରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ ।