ହାଇଦ୍ରାବାଦ: ଓଡିଆ ମହିଳା ହକି ଖେଳାଳିଙ୍କ ପାଇଁ ଖୁସିର ଖବର । ଚଳିତ ମାସରେ ଭାରତୀୟ ମହିଳା ଜୁନିୟର ହକି ଦଳ ଚିଲି ଗସ୍ତ କରିବ । ଉକ୍ତ 24 ଜଣିଆ ଦଳରେ ଓଡିଶାରୁ 3ଜଣ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ ଜୀବନ କିଶୋରୀ ଟପ୍ପୋ, ମାରିଆନା କୁଜୁର ଓ ଆଜମିନା କୁଜୁର । ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଗସ୍ତରେ ଭାରତୀୟ ଜୁନିୟର ଦଳ 6ଟି ମ୍ୟାଚ ଖେଳିବ । ଚଳିତବର୍ଷ ଜୁନିୟର ମହିଳା ବିଶ୍ବକପ ଆୟୋଜିତ ହେବ । ତେବେ ଟିମ ଇଣ୍ଡିଆକୁ ଏହି ଗସ୍ତରୁ ବେଶ୍ ଲାଭ ମିଳିବ । ତେବେ ଆସନ୍ତା 17 ଓ 18ରେ ଭାରତ ଦଳ ଜୁନିୟର ଚିଲି ଦଳ ଭେଟିବ ଓ ଏହାପରେ 20, 21,23 ଓ 24ରେ ସିନିୟର ଟିମ ବିପକ୍ଷରେ ଦଳ ଖେଳିବ ।
ତେବେ ଭାରତୀୟ ଜୁନିୟର ମହିଳା ଦଳର ନେତୃତ୍ବ ନେଇଥିବା ସୁମନ ଦେବୀ ଥୌଦମ କହିଛନ୍ତି ଯେ, ଚିଲି ଗସ୍ତକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛୁ । କାରଣ, କୋରୋନା ଭାଇରାସ କାରଣରୁ ବହୁତ ଦିନରୁ କୌଣସି ମ୍ୟାଚ ଖେଳିନାହୁଁ । ଏହି ଗସ୍ତରୁ ଆମକୁ ଲାଭ ମିଳିବ । ହକି ଇଣ୍ଡିଆର ଏହି ପ୍ରୟାସ ପାଇଁ ଧନ୍ୟବାଦ ଜଣାଉଛୁ ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଚିଲି ଗସ୍ତ ଦ୍ବାରା ଅପ୍ରେଲରେ ହେବାକୁ ଥିବା ଏସିଆ କପ ପାଇଁ ପ୍ରସ୍ତୁତି ପାଇଁ ସହାୟକ ହେବ । ଆମେମାନେ ଦୀର୍ଘ ଦିନର ବ୍ରେକ ପରେ ଏକ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପ୍ରସ୍ତୁତ ଅଛୁ ।
ସୂଚନାଥାଉକି, ଭାରତୀୟ ଜୁନିୟର ଦଳ ଶେଷଥର ପାଇଁ ଡିସେମ୍ବର 19ରେ ମ୍ୟାଚ ଖେଳିଥିଲା ।