ମେଲବର୍ଣ୍ଣ: ବିଶ୍ବ ଚମ୍ପିଆନ ହେଲା ଇଂଲଣ୍ଡ । ୧୨ ବର୍ଷ ପରେ ପୁଣି ଥରେ ଟି୨୦ ବିଶ୍ବକପ ହାତେଇବାରେ ସଫଳ ହୋଇଛି ଇଂଲିସ୍ ଟିମ୍ । ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଏହା ସହିତ ଦୀର୍ଘ ୩୦ ବର୍ଷ ପରେ ପାକିସ୍ତନଠାରୁ ବିଶ୍ବକପର ପ୍ରତିଶୋଧ ନେଇଛି ଇଂଲଣ୍ଡ । ମେନ୍ ଇନ୍ ଗ୍ରୀନ୍ ଦୀର୍ଘ ୩୦ ବର୍ଷ ପରେ ପୁଣି ଥର ଇଂଲଣ୍ଡକୁ ହରାଇ ଇତିହାସର ପୁନରାବୃତ୍ତି ଘଟାଇବାର ଲକ୍ଷ୍ୟ ରଖିଥିବା ବେଳେ ଫଳାଫଳ ଓଲଟା ହୋଇଛି । ବର୍ଷ ୧୯୯୨ ଦିନିକିଆ ବିଶ୍ବକପର ବଦଲା ନେଇଛି ଇଂଲିସ୍ ଟିମ୍ । ତେବେ ଏହାପୂର୍ବରୁ ଇଂଲଣ୍ଡ ୨୦୧୦ ମସିହରେ ଟି୨୦ ବିଶ୍ବକପ ହାତେଇଥିଲା । ଦୀର୍ଘ ୧୨ ବର୍ଷ ପରେ ଇଂଲଣ୍ଡର ଟି୨୦ ବିଶ୍ବକପ ଟ୍ରଫି ଅପେକ୍ଷାର ଅନ୍ତ ଘଟିଛି । ଅଧିନାୟକ ଜୋସ୍ ବଟଲରଙ୍କ ନେତୃତ୍ବରେ ଦଳ ୨୦୨୨ ଟି୨୦ ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇଛି ।
୧୩୮ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ବଟଲର ବାହିନୀ । ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇପାରିଛି । ଇଂଲିସ୍ ଟିମ୍ ୧୯ ଓଭରରେ ୫ ୱିକେଟ ହରାଇ ୧୩୮ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିଛି । ପ୍ରଥମ ଓଭରରୁ ହିଁ ଫାଷ୍ଟ ବୋଲର ସାହିନ୍ ଆଫ୍ରିଦି ଓପନର ଆଲେକ୍ସ ହେଲ୍ସଙ୍କ ୱିକେଟ ନେଇ ଇଂଲଣ୍ଡକୁ ଶକ୍ତ ଝଟକା ଦେଇଥିଲେ । ୫.୩ ଓଭର ୪୫ ରନ କରି ଇଂଲଣ୍ଡ ୩ ୱିକେଟ ହରାଇଥିଲା । ପରେ ଇଂଲଣ୍ଡର ବିଜୟ ଆଶା ଧୀରେଧୀରେ ମଉଳିବାକୁ ଲାଗିଥିଲା । ଏହାପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବେନ୍ ଷ୍ଟୋକ୍ସ । ସେ ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇବା ଲକ୍ଷ୍ୟରେ ଦାୟିତ୍ବବାନ୍ ପାଳି ଖେଳିଥିଲେ । ସେ ୪୯ ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହିତ ୫୨ ରନ ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେହିପରି ଜୋସ୍ ବଟଲର ୨୬ ରନ୍, ଫିଲିପ ସଲ୍ଟ ୧୦ ରନ୍, ହ୍ୟାରି ବ୍ରୁକ ୨୦ ରନ୍ ଏବଂ ମୋଇନ ଅଲ୍ଲୀ ୧୯ ରନ୍ କରିଛନ୍ତି ।