କୋଲକାତା:ଆଇପିଏଲ 2023ରେ ପ୍ରତିଟି ମ୍ୟାଚ ହେଉଛି ରୋମାଞ୍ଚକର । ତେବେ ଆଜିର ଦ୍ବିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚଳିତ ସଂସ୍କରଣର ସବୁଠାରୁ ବଡ଼ ସ୍କୋର କରିଥିଲା ଚେନ୍ନାଇ । ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 235ରନ କରିଥିଲା ଦଳ । ତେବେ କୋଲକାତା କେବଳ 186 ରନ ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଧୂଆଁଧାର ବ୍ୟାଟିଂ ପାଇଁ ଆଜିଙ୍କ୍ୟ ରାହାଣେ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇର ଦୃଢ଼ ମୂଳଦୁଆ ପକାଇଥିଲେ ପ୍ରାରମ୍ଭିକ ଯୋଡ଼ି । ଦଳୀୟ ସ୍କୋର 73 ରନ ବେଳେ ପ୍ରଥମ ୱିକେଟ ହରାଇଥିଲା ଦଳ । 20 ବଲରୁ 35 ରନ କରି ପାଭିଲିୟନ ଫେରିଥିଲେ ଋତୁରାଜ ଗାଏକୱାଡ । ଏହାପରେ ଡେଭନ କନୱେ 40 ବଲରୁ 4 ଚୌକା ଓ 3 ଛକା ବଳରେ 56 ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ପାଲଟିଥିଲେ । ତେବେ ଆଜିଙ୍କ୍ୟ ରାହାଣେ ଶିବମ ଦୁବେଙ୍କ ବ୍ୟାଟରୁ ଆଜି ଚୌକା ଓ ଛକାର ବର୍ଷା ହୋଇଥିଲା । 21 ବଲରୁ ଦୃତ ଅର୍ଦ୍ଧଶତକ ହାସଲ କରି ପାଭିଲିୟନ ଫେରିଥିଲେ ଦୁବେ । ତାଙ୍କର ଏହି ପାଳିରେ 5ଟି ଛକା ଓ 2ଟି ଚୌକା ସାମିଲ ଥିଲା । ଜାଡେଜା 8 ବଲରୁ 18 ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଧୋନି 2 ରନ କରି ଅପରାଜିତ ଥିଲେ । ଅନ୍ୟପଟେ ଆଜି ମ୍ୟାଚ୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଆଜିଙ୍କ୍ୟ ରାହାଣେ 29 ବଲରୁ ଧୂଆଁଧାର ବ୍ୟାଟିଂ କରି ଅପରାଜିତ 71 ରନ ସଂଗ୍ରହ କରିଥିଲେ । ଫଳରେ ଚଳିତ ସଂସ୍କରଣର ସର୍ବାଧିକ 235 ରନରେ ପହଞ୍ଚିଥିଲା ଚେନ୍ନାଇ ସୁପର କିଙ୍ଗସ ।
କୋଲକାତା ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କୁଲୱନ୍ତ ଖେଜ୍ରୋଲିୟା 3 ଓଭରରୁ 44 ରନ ବ୍ୟୟ କରି ସର୍ବାଧିକ 2ଟି ୱିକେଟ ପାଇଥିଲେ । ବରୁଣ ଚକ୍ରବର୍ତ୍ତୀ ଓ ସୂୟଶ ଶର୍ମାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ବରୁଣ ଚକ୍ରବର୍ତ୍ତୀ 4 ଓଭରୁ ସର୍ବାଧିକ 49 ରନ ବ୍ୟୟ କରିଥିଲେ ।