ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ରବିବାର ପୁରୁଷ ଟି-୨୦ ବିଶ୍ବକପ ବିଜେତା ଟିମର ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଟିମକୁ ୧୬ ଲକ୍ଷ ଆମେରିକୀୟ ଡଲାର(ପ୍ରାୟ ୧୨ କୋଟି ଟଙ୍କା)ର ପୁରସ୍କାର ରାଶି ମିଳିବ । ସେହିପରି ଉପବିଜେତା ଟିମକୁ ଏହାର ଅଧା ରାଶି ମିଳିବ ।
ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ୧୬ଟି ଟିମ ପାଇଁ ମୋଟ ୫୬ଲକ୍ଷ ଡଲାର(ପ୍ରାୟ ୪୨ କୋଟି ଟଙ୍କା)ର ପୁରସ୍କାର ରାଶି ରଖାଯାଇଛି । ଏହି ମେଗା ପ୍ରତିଯୋଗିତା ୧୭ ଅକ୍ଟୋବରରୁ ୟୁଏଇ ଓ ଓମାନରେ ଖେଳାଯିବ ।
ସେମିଫାଇନାଲରେ ପରାଜିତ ଦୁଇଟି ଟିମକୁ ପୁରସ୍କାର ଭାବରେ ୪ ଲକ୍ଷ ଡଲାର ଲେଖାଏଁ (ପ୍ରାୟ ୩ କୋଟି ଟଙ୍କା) ମିଳିବ । ଏହି ମୁକାବିଲା ନଭେମ୍ବର ୧୦ ଓ ୧୧ରେ ଖେଳାଯିବ ।
ସୁପର ୧୨ ପର୍ଯ୍ୟାୟରେ ଅଂଶଗ୍ରହଣକାରୀ ଟିମ ମଧ୍ୟରେ ରହିଛନ୍ତି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜର ସ୍ଥାନ ପକ୍କା ରହିଛି ।