ଓଡିଶା

odisha

Cricket World Cup 2023: ଗିଲ୍‌ଙ୍କ ଅନୁପସ୍ଥିତି ଈଶାନ କିଷାନଙ୍କ ପାଇଁ ହୋଇପାରେ ସୁବର୍ଣ୍ଣ ସୁଯୋଗ

By ETV Bharat Odisha Team

Published : Oct 6, 2023, 10:24 PM IST

Updated : Oct 6, 2023, 10:34 PM IST

ଭାରତୀୟ ଷ୍ଟାର ବ୍ୟାଟର ଶୁଭମନ ଗିଲ୍‌ ଡେଙ୍ଗୁ ପଜିଟିଭ ଚିହ୍ନଟ ହେବାପରେ ଆସନ୍ତା ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସେ ଅନୁପସ୍ଥିତ ରହିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ଗିଲ୍‌ଙ୍କ ଅନୁପସ୍ଥିତି ଈଶାନ କିଷାନଙ୍କ ପାଇଁ ହୋଇପାରେ ବରଦାନ । ବ୍ୟାଟିଂ ଟପ୍‌-ଅର୍ଡରରେ ନିଜକୁ ପ୍ରମାଣିତ କରିବାକୁ ଈଶାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହୋଇପାରେ । ଅଧିକ ପଢ଼ନ୍ତୁ

ଗିଲ୍‌ଙ୍କ ଅନୁପସ୍ଥିତି ଈଶାନ କିଷାନଙ୍କ ପାଇଁ ହୋଇପାରେ ସୁବର୍ଣ୍ଣ ସୁଯୋଗ
ଗିଲ୍‌ଙ୍କ ଅନୁପସ୍ଥିତି ଈଶାନ କିଷାନଙ୍କ ପାଇଁ ହୋଇପାରେ ସୁବର୍ଣ୍ଣ ସୁଯୋଗ

କୋଲକାତା: କଥାରେ ଅଛି, ଜଣଙ୍କର ଦୁର୍ଭାଗ୍ୟ ଅନ୍ୟ କାହାର ସୌଭାଗ୍ୟରେ ପରିଣତ ହୋଇପାରେ । ବିଶ୍ବକପ୍‌ ୨୦୨୩ ଖେଳିବାକୁ ଯାଉଥିବା ଭାରତୀୟ ଦଳରେ ଏହି ଲୋକକଥା ବେଶ ମେଳ ଖାଉଛି । ଭାରତୀୟ ଦଳର ଷ୍ଟାର ବ୍ୟାଟର ଶୁଭମନ ଗିଲ୍‌ ଶୁକ୍ରବାର ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ବିଶ୍ବକପ୍‌ ଖେଳିବାକୁ ସ୍ବପ୍ନ ଦେଖୁଥିବା ଏହି ଯୁବ ତାରକା ବ୍ୟାଟରଙ୍କ ଅସୁସ୍ଥତା ହୁଏତ ଈଶାନ କିଷାନଙ୍କ ପାଇଁ ଆଶୀର୍ବାଦରେ ପରିଣତ ହୋଇପାରେ । ରବିବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ମ୍ୟାଚ୍‌ରେ ଗିଲ୍‌ଙ୍କ ଅନୁପସ୍ଥିତି ଈଶାନ କିଷାନଙ୍କ ପାଇଁ ଟପ୍‌ ଅର୍ଡର୍‌ରେ ନିଜକୁ ପ୍ରମାଣିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।

ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ଥିଲେ ଶୁଭମନ ଗିଲ । ଫଳରେ ଓପନିଂ କରିବାକୁ ଭଲ ପାଉଥିବା କିଷାନଙ୍କୁ ମଧ୍ୟକ୍ରମରେ ଖେଳିବାକୁ ପଡ଼ୁଥିଲା । ହେଲେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଗିଲ ଖେଳିବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ଯଦି ଗିଲ୍‌ କିଛି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଉନାହାନ୍ତି, ତେବେ ଏହା ନିଜକୁ ଶୀର୍ଷକ୍ରମ ବ୍ୟାଟିଂରେ ପ୍ରମାଣିତ କରିବାକୁ ଈଶାନ କିଷାନଙ୍କ ପାଇଁ ଦ୍ବାର ଖୋଲିବ ବୋଲି କୁହାଯାଉଛି । ଉଭୟଙ୍କ ପ୍ରଦର୍ଶନକୁ ଦେଖିଲେ ୨୪ ବର୍ଷୀୟ ଗିଲ୍‌ ସବୁ ଫର୍ମାଟ୍‌ରେ ଗୋଟିଏ ପରେ ଗୋଟିଏ ଶତକ ଯୋଡ଼ି ନିଜକୁ ଢେର ଆଗରେ ରଖିଛନ୍ତି । ସେପଟେ ଦିନିକିଆରେ କେବଳ ଗୋଟିଏ ଶତକ ଓ ଗୋଟିଏ ଦ୍ବିଶତକ ସହିତ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ୨୫ ବର୍ଷୀୟ କିଷାନ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଗିଲ୍‌ଙ୍କୁ ଜ୍ବର, ବିକଳ୍ପ କିଏ ? ଟିମ୍‌ ଇଣ୍ଡିଆରେ ଏମିତି ରହିଛି ବ୍ୟାଟିଂ ଓ ବୋଲିଂ ଲାଇନ୍‌ ଅପ୍‌

ଯଦି ବାମହାତି ବ୍ୟାଟର ଈଶାନ କିଷାନ ଦଳ ପାଇଁ ପାଳି ଆରମ୍ଭ କରି ପ୍ରଥମରୁ ହିଁ ପ୍ରଭାବୀ ପ୍ରଦର୍ଶନ କରିବେ, ତେବେ ଭାରତ ଶୁଭମନ ଗିଲ୍‌ଙ୍କ ଅନୁପସ୍ଥିତି ଅନୁଭବ କରିବ ନାହିଁ । ସମସ୍ତ ସମ୍ଭାବନା ଦୃଷ୍ଟିରୁ ଟିମ୍‌ ମ୍ୟାନେଜ୍‌ମେଣ୍ଟ ରୋହିତଙ୍କ ସହ କିଷାନଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ପଛକୁ ଷ୍ଟାର ବ୍ୟାଟର ବିରାଟ କୋହଲି, କେଏଲ୍‌ ରାହୁଲ ଏବଂ ଶ୍ରେୟସ୍ ଆୟରଙ୍କ ଭଳି ବ୍ୟାଟର ମଧ୍ୟକ୍ରମ ପାଇଁ ରହିବେ । ଯଦିଓ କେଏଲ ରାହୁଲ ଅତୀତରେ ଦଳ ପାଇଁ ପାଳି ଆରମ୍ଭ କରିଛନ୍ତି, ତଥାପି ସେ ଏଥର ଓପନିଂ କରିବା ସମ୍ଭାବନା କ୍ଷୀଣ । ବାମହାତି- ଡାହାଣହାତି ମିଶ୍ରଣକୁ ବଜାୟ ରଖିବା ଏବଂ ବ୍ୟାଟିଂକ୍ରମରେ ସ୍ଥିରତା ଆଣିବା ପାଇଁ କିଷାନଙ୍କୁ ଆଗରେ ରଖି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ପସନ୍ଦ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2023, 10:34 PM IST

ABOUT THE AUTHOR

...view details